କାଙ୍ଗାଳ ହୋଇଗଲାଣି ପାକିସ୍ତାନ ! ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଦେଲେ ବଡ ବୟାନ, କହିଲେ ଦେଶ ଚଳାଇବା ପାଇଁ ନାହିଁ ଟଙ୍କା ।

1,893

କନକ ବ୍ୟୁରୋ : କାଙ୍ଗାଳ ହୋଇଗଲାଣି ପାକିସ୍ତାନ । ଋଣ ଭାରରେ ବୁଡି ରହିଛି ପାକିସ୍ତାନ । ପଡୋଶୀ ଦେଶ ପାକିସ୍ତାନର ଅର୍ଥନୀତି ଏତେ ତଳକୁ ଖସିଯାଇଛି ଯେ ଏବେ ଦେଶରେ ଆକାଶଛୁଆଁ ହୋଇଛି ଦର । ଆଉ ଏସବୁ ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ବଡ ବୟାନ ଦେଇଛନ୍ତି । ଗତ ଦଶବର୍ଷ ମଧ୍ୟରେ ପାକିସ୍ତାନ ଯେଉଁଭଳି ଋଣଭାରରେ ବୁଡି ରହିଛି ସେଥିରୁ ମୁକୁଳିବା ଏତେ ସହଜ ନୁହେଁ ।

ଗତ ଦଶ ବର୍ଷ ମଧ୍ୟରେ ପାକିସ୍ତାନର ଋଣ ୬୦୦୦ ଆରବରୁ ବଢି ୩୦ ହଜାର ଆରବରେ ପହଞ୍ଚିଛି । ଆଉ ଏହାଦ୍ୱାରା ଦେଶର ରାଜକୋଷରୁ ଡଲାରର ପରିମାଣ ମଧ୍ୟ କମ ହେବାରେ ଲାଗିଛି । ଏପରିକି ପାକିସ୍ତାନ ପାଖରେ ଏତେ ଟଙ୍କା ନାହିଁ ଏହାକୁ ଏବେ ସୁଝିପାରିବ । ଆଉ ଏଭଳି ଅବସ୍ଥାରେ ପାକିସ୍ତାନ ଦେବାଳିଆ ହୋଇଯିବା ଭଳି ସ୍ଥିତି ଉପୁଜିବା ନେଇ ଡର ମଧ୍ୟ ରହିଛି । ଯଦି ଏଭଳି ହୁଏ ତେବେ ଦେଶର ସ୍ଥିତି ସଙ୍ଗୀନ ହୋଇଯିବ । ବସ୍ତା ବସ୍ତା ଟଙ୍କା ନେଇଗଲେ ମଧ୍ୟ ରୁଟି ଗୋଟିଏ ପାଇବା ମଧ୍ୟ କଷ୍ଟକର ହୋଇଯିବ । ପାକିସ୍ତାନର ଅବସ୍ଥା ଭେନଜୁଏଲା ଭଳି ହୋଇଯିବ ।

ଇମରାନ କହିଛନ୍ତି, ଯେବେଠାରୁ ସେ ଶାସନର ମଙ୍ଗ ଧରିଛନ୍ତି ଏଭଳି ସଙ୍ଗୀନ ସ୍ଥିତିର ସାମ୍ନାକୁ କରିବାକୁ ପଡୁଛି । ତେବେ ୟୁଏଇ, ସାଉଦି ଆରବ,ଚୀନ ଭଳି ବନ୍ଧୁ ରାଷ୍ଟ୍ରଙ୍କ ପାଇଁ ଦେଶରେ ସେଭଳି ପରିସ୍ଥିତି ଏଯାଏଁ ସୃଷ୍ଟି ହୋଇନାହିଁ । ଗତକାଲି ପାକିସ୍ତାନରେ ବଜେଟ ଆସିଥିବା ବେଳେ ଏଥିରେ ଆଇଏମଏଫର ପ୍ରଭାବ ଦେଖିବାକୁ ମିଳିଛି । ଆଇଏମଏଫ ଠାରୁ ୬ ଆରବ ଡଲାର ଋଣ ପାକିସ୍ତାନ ନେଇଥିବା ବେଳେ ଏହା ବଦଳରେ ପାକିସ୍ତାନକୁ ଆଇଏମଏଫର କିଛି ସର୍ତ୍ତ ମାନିବାକୁ ପଡିବ । ଆଉ ଏହାଦ୍ୱାରା ବିଭିନ୍ନ ସାମଗ୍ରୀ ମହଙ୍ଗା ହେବା ସହ ଲୋକଙ୍କ ଉପରେ ଟ୍ୟାକ୍ସ ବୋଝ ମଧ୍ୟ ପଡିବ ।