ପାକିସ୍ତାନର ପଛଘୁଞ୍ଚା । ରାଜନାଥଙ୍କ ରଣହୁଙ୍କାର ପରେ ମୁଣ୍ଡ ନୁଆଁଇଲା ପାକିସ୍ତାନ ! ପ୍ରତି କଥାରେ ପରମାଣୁ ଧମକ ଦେଉଥିବା ଇମ୍ରାନ୍ ମାରିଲେ ୟୁ-ଟର୍ଣ୍ଣ ।

927

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ, ଭାରତକୁ ପରମାଣୁ ଆକ୍ରମଣର ଭୟ ଦେଖାଉଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଔଷଧ ବିକଳରେ ତାଟିଆ କାମୁଡିବା ଭଳି ବାରମ୍ବାର ଯୁଦ୍ଧ ଧମକ ଦେଉଥିଲେ ଇମ୍ରାନ ଖାନ୍ । ଏପରିକି ପାକିସ୍ତାନବାସୀଙ୍କୁ ଉଦବୋଧନ ଦେଲାବେଳେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଥିଲେ ଇମ୍ରାନ ଖାନ୍ । ସେ କହିଥିଲେ, କାଶ୍ମୀରବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ଦିଗରେ ବିଶ୍ୱ ସମୁଦାୟ କୌଣସି ପଦକ୍ଷେପ ନନେଲେ ଏହାର ପରିଣାମ ଭୟାବହ ହେବ । ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ବିବାଦର ପରିଣାମ ସାରାବିଶ୍ୱକୁ ଭୋଗିବାକୁ ପଡିବ ।

ଏବେ କିନ୍ତୁ ଅଚାନକ ବଦଳି ଯାଇଛି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ୱର । ଭାରତ ବିରୋଧୀ ଆଭିମୁଖ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ପରିବର୍ତନ କରିଛନ୍ତି ଇମ୍ରାନ ଖାନ୍ । ଲାହୋରରେ ଶିଖ ସମୁଦାୟକୁ ସମ୍ବୋଧନ କଲାବେଳେ ସ୍ୱର ବଦଳାଇଛନ୍ତି ଇମ୍ରାନ । ପ୍ରଥମଥର ଅନ୍ତର୍ଜାତୀୟ ଶିଖ ସମ୍ମିଳନୀକୁ ସମ୍ବୋଧନ କରି ଇମ୍ରାନ କହିଛନ୍ତି, ପାକିସ୍ତାନ କେବେହେଲେ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ । ଦୁଇଟିଯାକ ଦେଶ ପରମାଣୁ ଶକ୍ତି ସମ୍ପନ୍ନ । ଯଦି ଏହି ବିବାଦ ଆଗକୁ ବଢେ, ତେବେ ସାରାବିଶ୍ୱ ପ୍ରତି ବିପଦ ସୃଷ୍ଟି ହେବ ।

ଏଥିସହ ଯୁଦ୍ଧ କୌଣସି ସମସ୍ୟାର ସମାଧାନ କରିପାରିବ ନାହିଁ ବୋଲି ପାକ୍ ପ୍ରଧାନମନ୍ତ୍ରୀଙ୍କ ବୁଦ୍ଧି ଉଦୟ ହୋଇଛି । ଯୁଦ୍ଧ ଦ୍ୱାରା ବିବାଦର ସମାଧାନ କରିବାକୁ ଚାହୁଁଥିବା ବ୍ୟକ୍ତି ଇତିହାସ ପଢିନାହିଁ ବୋଲି ଇମ୍ରାନ କହିବା ସହ ନିଜକୁ ନିଜେ ଭୁଲ ବୋଲି ପ୍ରମାଣିତ କରିଛନ୍ତି ।

କୁହାଯାଉଛି ଯୁଦ୍ଧ ଧମକ ଓ ପରମାଣୁ ଆକ୍ରମଣର ଭୟ ଦେଖାଇ କାଶ୍ମୀର ପ୍ରସଙ୍ଗରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ ଇମ୍ରାନ । ହେଲେ ଏହାକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ କହି କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ସିଧାସିଧା ଅସ୍ୱୀକାର କରିଦେଇଥିଲା ଭାରତ । ସେହିପରି ‘ନୋ ଫାଷ୍ଟ ୟୁଜ’ ନ୍ୟୁକ୍ଲିୟର ପଲିସି ଅର୍ଥାତ ଭାରତ ପ୍ରଥମକରି ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଥିବା ନୀତିରେ ମଧ୍ୟ ପରିବର୍ତନ କରିପାରେ ବୋଲି ସଫା ଶୁଣାଇ ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଭାରତର ଏଭଳି ପରିବର୍ତିତ ଆଭିମୁଖ୍ୟକୁ ଦେଖି ବଦଳି ଯାଇଛି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମିଜାଜ୍ । ଅନ୍ୟପକ୍ଷରେ ଇମ୍ରାନଙ୍କ ଜଣେ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଜେଣ୍ଡାରେ ପାକିସ୍ତାନ ଧ୍ୱଂସ ହୋଇଯିବା ଆଶଙ୍କା ରହିଛି । ତେବେ ଭାରତ ଆକ୍ରମଣର ମୁକାବିଲା ପାଇଁ ପାକିସ୍ତାନ ପାଖରେ ଛୋଟଛୋଟ ସ୍ମାର୍ଟବମ୍ ରହିଥିବା ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ।

ପାକିସ୍ତାନ ରେଳମନ୍ତ୍ରୀ ସେଖ ରଶିଦ କହିଛନ୍ତି, ପାକିସ୍ତାନ ପାଖରେ ଥିବା ଛୋଟଛୋଟ ବୋମା ଗୁଡିକର ଆକାର ୧୨୫ ଗ୍ରାମରୁ ୨୫୦ ଗ୍ରାମ୍ । ଯାହାକୁ ଭାରତର ମୁକାବିଲା ପାଇଁ ପାକିସ୍ତାନ ବ୍ୟବହାର କରିବ । ଏହିକଥାରୁ ସ୍ପଷ୍ଟ ହୋଇଯାଇଛି ଯେ, ଭାରତ ଭଳି ଶକ୍ତିଶାଳୀ ରାଷ୍ଟ୍ରର ମୁକାବିଲା କରିବାକୁ ଆଦୌ ସମର୍ଥ ନୁହେଁ ପାକିସ୍ତାନ । ଯେଉଁଥିପାଇଁ ରାଜନାଥଙ୍କ ରଣହୁଙ୍କାର ପରେ ସ୍ୱର ବଦଳାଇବାକୁ ବାଧ୍ୟ ହୋଇଛନ୍ତି ଇମ୍ରାନ ଖାନ୍ ।