କେରଳରେ ବଢ଼ୁଛନ୍ତି ବ୍ରାଡମ୍ୟାନ୍ ପିଢି : ୯ ବର୍ଷୀୟ ବିଘ୍ନଜ ପ୍ରେଜିଥଙ୍କ କ୍ରିକେଟ୍ କୌଶଳକୁ ନେଇ ଚର୍ଚ୍ଚା; ନେଟ୍ସରେ ବ୍ୟାଟ ବଦଳରେ ଷ୍ଟମ୍ପରେ କରୁଛନ୍ତି ଚମତ୍କାର ବ୍ୟାଟିଂ

ଫ୍ଲାଟ ପରିସରରେ ବ୍ୟାଟିଂ କରୁଥିବାର ଭିଡିଓ ଭାଇରାଲ ; ଶହେ ବର୍ଷ ତଳେ କ୍ରିକେଟ କିମ୍ବଦନ୍ତୀ ଷ୍ଟମ୍ପରେ କରୁଥିଲେ ସମାନ ଅଭ୍ୟାସ

178

କନକ ବ୍ୟୁରୋ : କେରଳର କୁନି ପ୍ରତିଭା । କେରଳର ଜଣେ ୯ବର୍ଷିୟ କ୍ରିକେଟ ପ୍ରତିଭା ବିଘ୍ନଜ ପ୍ରେଜିଥ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କୋଭିଡ଼ ମହାମାରୀ ପରିସ୍ଥିତି ଆଉଟଡ଼ୋର କ୍ରିକେଟକୁ ରୋକି ଦେଇଛି ସତ କିନ୍ତୁ ଇନଡ଼ୋର କ୍ରିକେଟକୁ ନୁହେଁ । ବିଘ୍ନଜ ନିଜ ଫ୍ଲାଟ ପରିସରରେ ବ୍ୟାଟିଂ କରୁଥିବାର ଏକାଧିକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିଘ୍ନଜ ବ୍ୟାଟରେ ନୁହେଁ ଷ୍ଟମ୍ପରେ ଚମତ୍କାର ବ୍ୟାଟିଂ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଅତି ସୁନ୍ଦର ଫୁଟୱାର୍କ ସହିତ ପଡ଼ିଆରେ ଚାରିଆଡ଼କୁ ଯିବା ଭଳି ସର୍ଟମାନ ଖେଳୁଥିବାର ଦେଖିବାକୁ ମିଳିଛି । ଏପରିକି ରିଭର୍ସ ସର୍ଟ ମଧ୍ୟ ଖେଳୁଛନ୍ତି ବିଘ୍ନଜ । ଫ୍ରଣ୍ଟ ଫୁଟ୍ କୁହନ୍ତୁ କିମ୍ବା ବ୍ୟାକ୍ ଫୁଟ୍ ସବୁଥିରେ ଏହି କୁନି ପ୍ରତିଭା ଏତେ ଓସ୍ତାଦ ଲାଗୁଛନ୍ତି ଯେ ସେ ଭବିଷ୍ୟତରେ ଜଣେ ମହାନ କ୍ରିକେଟର ହେବାର ଆଭାସ ଦେଇଛନ୍ତି ।

ଶହେ ବର୍ଷ ତଳେ ଅଷ୍ଟ୍ରେଲିଆରେ ଯେଉଁ ବାଳକ ଦିନେ ଷ୍ଟମ୍ପ ଓ ଗଲ୍ଫ ବଲରେ ଖେଳି କିମ୍ବଦନ୍ତି କ୍ରିକେଟର ପାଲଟିଥିଲେ ସେଭଳି ଚର୍ଚ୍ଚା ମଧ୍ୟ ଗଣମାଧ୍ୟମରେ ଚାଲିଛି । ସୁଚନା ଅନୁସାରେ ଆଇପିଲଏଲ ଖେଳ ଦେଖିବା ପରେ ଏହି ଶିଶୁ ପ୍ରତିଭା ଜଣଙ୍କ କ୍ରିକେଟ ପ୍ରତି ଆକର୍ଷିତ ହୋଇଥିଲେ । ନିଜ ଫ୍ଲାଟ ପରିସରରେ ଜେଜେ ମା’ ବୋଲିଂ କରନ୍ତି ଏବଂ ବିଘ୍ନଜ ବ୍ୟାଟିଂ କରନ୍ତି ।