ଜାତିସଂଘରେ ଭାରତର ବଡ଼ ବୟାନ ! ଆତଙ୍କବାଦୀଙ୍କ ଆଡା ନହେଉ ଆଫାଗାନ ମାଟି, ପ୍ରତିଶ୍ରୁତି ଦେଉ ତାଲିବାନ

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତ୍ରିମୂର୍ତି କହିଲେ, ଆତଙ୍କବାଦୀଙ୍କ ଆଡା ନହେଉ ଆଫାଗାନ ମାଟି

270

କନକ ବ୍ୟୁରୋ : ଆଫଗାନିସ୍ତାନ ସ୍ଥିତିକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ବଡ ବୟାନ । ଭାରତର ସ୍ଥାୟୀ ପ୍ରତିନିଧି, ଟିଏସ ମୂର୍ତି ଆଲୋଚନାରେ ଭାଗ ନେଇ କହିଛନ୍ତିି, ଆଫଗାନିସ୍ତାନର ସ୍ଥିିତି ଗମ୍ଭୀର ରହିଛି । ଆଫଗାନିସ୍ଥାନ ମାଟି ଯେମିତି କୌଣସି ଆତଙ୍କବାଦୀ ବ୍ୟବହାର ନକରନ୍ତି, ସେନେଇ ତାଲିବାନୀମାନେ ପ୍ରତିଶ୍ରୁତି ଦେବାର ଆବଶ୍ୟକତା ରହିଛି । ଜାତିସଂଘ ଦ୍ୱାରା ନିଷିଦ୍ଧ ଘୋଷିତ ହୋଇଥିବା ଲସ୍କର ଇ-ତୋଇବା ଓ ଜୈସ-ଇ-ମହମ୍ମଦ ଭଳି ସମସ୍ତ ଆତଙ୍କବାଦୀ ସଂଗଠନ, ଆଫଗାନିସ୍ତାନକୁ ଅନ୍ୟ ଦେଶ ବିରୋଧରେ ବ୍ୟବହାର ନକରନ୍ତି, ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ପାଇଁ ବ୍ୟବହାର ନହୁଏ, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ନଦିଅନ୍ତି, ସେନେଇ ନିଶ୍ଚିତ କରିବା ଆବଶ୍ୟକ । ଏଥିସହ ଆଫଗାନିସ୍ତାନରେ ସ୍ଥିରତା, ଶାନ୍ତି ଓ ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ବିନା ଭେଦଭାବରେ ପଦକ୍ଷେପ ନେବା ଆବଶ୍ୟକ ।

ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଘୋର ଅନିଶ୍ଚିତତା ସମୟରେ ଆଫଗାନ ନାରୀ ଓ ପୁରୁଷମାନେ ରାସ୍ତାକୁ ବାହାରି ଆସି, କାର୍ଯ୍ୟ କରିବା ପାଇଁ ନାରୀମାନଙ୍କ ଅଧିକାର, ଚଳପ୍ରଚଳ ସ୍ବାଧୀନତା, ଅଧ୍ୟୟନ ଏବଂ ରାଜନୀତିରେ ଅଂଶଗ୍ରହଣ ଆଦି ମାନବିକ ଦାବି ଉତ୍ଥାପନ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଚଳାଇଛନ୍ତି । କ୍ଷମତାସୀନ ବ୍ୟକ୍ତିମାନେ ସେମାନଙ୍କ କଥା ଶୁଣିବା ଉଚିତ ।ଅଣଅନୁମୋଦିତ ଜନସମାବେଶ ଉପରେ ତାଲିବାନ୍‌ର ନିଷେଧାଜ୍ଞା ଏବଂ କାବୁଲ୍‌ର ନିର୍ଦ୍ଦିଷ୍ଟ ଅଞ୍ଚଳମାନଙ୍କରୁ ଇଣ୍ଟର୍‌ନେଟ୍‌ କଟାଯିବା ଆଦି ପ୍ରସଙ୍ଗରେ ମଧ୍ୟ ଜାତିସଂଘ ଅବଗତ ହୋଇଛି । ଏ ସଂକ୍ରାନ୍ତରେ ରବିନା କହିଛନ୍ତି, ଅଗଷ୍ଟ ୧୫ରୁ ପ୍ରତିବାଦ ଚାଲିଆସୁଛି ଏବଂ ବୁଧବାର ସନ୍ଧ୍ୟାରେ ‘ବେଆଇନ ଜନସମାଗମ ନିଷେଧାଜ୍ଞା’ ଜାରି ହେବା ପର୍ଯ୍ୟନ୍ତ ପ୍ରତିବାଦ ସଂଖ୍ୟା ବଢ଼ି ଚାଲିଥିଲା । ପ୍ରତିବାଦ ଉପରେ ରିପୋର୍ଟ କରୁଥିବା ସାମ୍ବାଦିକମାନଙ୍କୁ ମଧ୍ୟ ତାଲିବାନ୍ ନିର୍ଯାତନା ଦେଉଥିବା ସମ୍ବାଦ ପ୍ରସାରଣ ହେଉଛି ।