ଜାତୀୟ ରାଜନୀତିରେ ପ୍ରଶାନ୍ତ କିଶୋରଙ୍କ ଗୋଟିଚାଳନା । ଶରଦ ପାୱାରଙ୍କ ସହ କାଲି ଅଣ-କଂଗ୍ରେସ ଦଳମାନଙ୍କୁ ନେଇ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ ।

189

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବା ଆରମ୍ଭ କରିଛନ୍ତି । ସୋମବାର ପ୍ରଶାନ୍ତ କିଶୋର ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ବୈଠକ ପରେ ମଙ୍ଗଳବାର ଦିନ ରାଷ୍ଟ୍ର ମଞ୍ଚର ଏକ ବୈଠକ ହେବ । ମଙ୍ଗଳବାର ଦିନ ଅପରାହ୍ନ ୪ଟାରେ ଦିଲ୍ଲୀରେ ଶରଦ ପାୱାରଙ୍କ ଘରେ ମୋଦୀ ସରକାରଙ୍କ ନୀତି ବିରୋଧରେ ରାଷ୍ଟ୍ର ମଞ୍ଚର ବୈଠକ ଅନୁଷ୍ଠିତ ହେବ । ଏନସିପି ସୁପ୍ରିମୋ ଶରଦ ପାୱାର ପ୍ରଥମ ଥର ପାଇଁ ରାଷ୍ଟ୍ର ମଞ୍ଚ ବୈଠକରେ ଯୋଗଦେବେ ।

୨୦୧୮ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ଦ୍ୱାରା ରାଷ୍ଟ୍ର ମଞ୍ଚ ଗଠନ କରାଯାଇଥିଲା । ଯଶୱନ୍ତ ସିହ୍ନା ଏବଂ ଶରଦ ପାୱାରଙ୍କ ବ୍ୟତୀତ ଆମ ଆଦମୀ ପାର୍ଟିର ସଞ୍ଜୟ ସିଂ ଓ ପବନ ବର୍ମାଙ୍କ ଛଡା ଆଉ କିଛି ନେତା ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗଦେବେ । ୨୦୧୮ ମସିହାରେ, ଯଶୱନ୍ତ ସିହ୍ନା ଦେଶର ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ପରିସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ ରାଷ୍ଟ୍ର ମଞ୍ଚ ଆରମ୍ଭ କରିଥିଲେ ।

ବିରୋଧୀ ଦଳର ବିଭିନ୍ନ ନେତାଙ୍କ ବ୍ୟତୀତ ଅଣ ରାଜନୈତିକ ବ୍ୟକ୍ତି ମଧ୍ୟ ଏଥିରେ ଭାଗ ନେଇଛନ୍ତି । ରାଷ୍ଟ୍ର ମଞ୍ଚର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା । ମଙ୍ଗଳବାର ଦିନ ଶରଦ ପାୱାରଙ୍କ ଘରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ର ମଞ୍ଚ ବୈଠକରେ କଂଗ୍ରେସ ନେତାମାନେ ଯୋଗଦେବେ ନାହିଁ । କୁହାଯାଉଛି ଯେ ଏହି ବୈଠକରେ ତୃତୀୟ ମେଣ୍ଟର ରୂପରେଖ ବାବଦରେ ଆଲୋଚନା ହୋଇପାରେ । ତେଣୁ କଂଗ୍ରେସ ନେତାମାନେ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି ।