ଆସନ୍ତାକାଲି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜନୀତି ମହଲରେ ମେଣ୍ଟ ଅଙ୍କକଷା ଜାରି…

590

କନକ ବ୍ୟୁରୋ: ବଢୁଛି ମେଣ୍ଟ ଚର୍ଚ୍ଚା, ସେପଟେ ଦିଲ୍ଲୀରେ ବିଜେପି ଚାଣକ୍ୟ ଶାହାଙ୍କ ଘରେ ବୈଠକ ବସିଥିବାବେଳେ ଏପଟେ ଆସନ୍ତାକାଲି ନବୀନ ନିବାସରେ ପୁଣି ରୁଦ୍ଧଦ୍ୱାର ବୈଠକ ବସିବାକୁ ଯାଉଥିବା ସୂତରୁ ଖବର ମିଳିଛି । ତେବେ ବିଜେଡି-ବିଜେପି ମେଣ୍ଟ ନେଇ ଅଙ୍କ ଛିଡୁନଥିବାବେଳେ ଏଭଳି ଘନଘନ ବୈଠକ ରାଜନୀତିର ପାରଦକୁ ଆହୁରି ବଢ଼ାଇଦେଇଛି । ପୂର୍ବରୁ ଗତ ୬ ତାରିଖ ଦିନ ନବୀନ ନିବାସରେ ବରିଷ୍ଠ ବିଧାୟକ ଏବଂ ବରିଷ୍ଠ ବିଜେଡି ନେତାଙ୍କୁ ନେଇ ବୈଠକ ବସିଥିଲା । ପରେ ପରେ ମେଣ୍ଟ ବାବଦରେ କୌଣସି ନେତା ମୁହଁ ଖୋଲି ନଥିବାବେଳେ ଓଡ଼ିଶାର ସ୍ୱାର୍ଥ ପାଇଁ ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି ବୟାନବାଜି କରିଥିଲେ । ତେବେ ଆସନ୍ତାକାଲି ନବୀନ ନିବାସରେ ବସିଥିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜନୀତି ମହଲରେ ଉତ୍କଣ୍ଠା ବଢ଼ାଇଦେଇଛି ।

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଲା ବଡ ଖବର । ଆଜି ଛିଣ୍ଡି ପାରେ ମେଣ୍ଟ ଗଣିତ । ଆସନ ଭାଗବଣ୍ଟାକୁ ନେଇ ଲାଗି ରହିଥିବା ଅଛିଣ୍ଡା ଅଙ୍କ ଆଜି ଛିଣ୍ଡିବା ନେଇ ବଢିଲା ସମ୍ଭାବନା । କାରଣ ଦିଲ୍ଲୀ ସ୍ଥିତ ଅମିତ ଶାହାଙ୍କ ବାସଭବନରେ ବସିଛି ଜରୁରୀ ବୈଠକ । ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜୟପାଲ ସିଂ ତୋମାର ଉପସ୍ଥିତ ଅଛନ୍ତି । ତେଣୁ ବିଜେପି- ବିଜେଡି ମେଣ୍ଟ ନେଇ ଚୂଡାନ୍ତ ନିଷ୍ପତ୍ତି ଆଜି ହୋଇପାରେ । ଆସନ୍ତାକାଲି ଏନଡିଏ ବୈଠକ ଥିବାରୁ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ମେଣ୍ଟ ନିଷ୍ପତ୍ତି ଆସିପାରେ ବୋଲି ସମ୍ଭାବନା ଘନେଇଲା ।