କନକ ବ୍ୟୁରୋ : ଅପରାଧିକ ମାମଲାରେ ଜବତ ଗାଡିକୁ ଦୀର୍ଘଦିନ ଖରା,ବର୍ଷାରେ ପକାଇ ରଖିବା, ତା’ର କୌଣସି ରକ୍ଷଣାବେକ୍ଷଣ ନକରିବା ଘଟଣାକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ଆବଶ୍ୟକ ପଦକ୍ଷେପ ପରେ ଗାଡ଼ିକୁ ମାଲିକ ଜିମା ଦେବାରେ ସମସ୍ୟା ନାହିଁ ବୋଲି ହାଇକୋର୍ଟ ଏକ ମାମଲାର ବିଚାର କରି ରାୟ ରଖିଛନ୍ତି । ଅବକାରୀ ବିଭାଗ ଦ୍ବାରା ଜବତ ଏକ ଗାଡ଼ିର ଜିମା ପାଇବା ପ୍ରସଂଗକୁ ନେଇ ମାଲିକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ପ୍ରଦାନ କରିଛନ୍ତି । ଜବତ ଗାଡ଼ିକୁ ତାର ମାଲିକଙ୍କୁ ଦେବା ପାଇଁ ଅନୁମତି ଦେବା ସହିତ ତଦନ୍ତ ସମୟରେ ଅଥବା ଅଦାଲତରେ ଆବଶ୍ୟକ ସ୍ଥଳେ ମାଲିକ ଗାଡ଼ି ହାଜର କରାଇବେ ବୋଲି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିମ୍ନ ଅଦାଲତରେ ମାମଲା ବିଚାରାଧୀନ ଥିବାବେଳେ ଆବେଦନକାରୀ ଗାଡ଼ିରେ କିଛି ପରିବର୍ତ୍ତନ କରିପାରିବେ ନାହିଁ ବୋଲି ସର୍ତ୍ତାରୋପ କରାଯାଇଛି ।
ମାମଲାର ବିବରଣୀ ଅନୁଯାୟୀ ବେଆଇନ ଭାବେ ୫୧.୮ ଲିଟର ବିଦେଶୀ ମଦ ଚାଲାଣ ଅଭିଯୋଗରେ ରତ୍ନାକର ବେହେରାଙ୍କ ଏକ ଟାଟା ଏସି ପିକ୍-ଅପ୍କୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଥିଲା । ଏହି ମାମଲାରେ କିନ୍ତୁ ରତ୍ନାକରଙ୍କ ବିରୋଧରେ କୌଣସି ଅଭିଯୋଗ ନଥିଲା ଓ ତାଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇ ନଥିଲା । କିନ୍ତୁ ଜବତ ଗାଡି ବାଜ୍ୟାପ୍ତି ପାଇଁ ଅବକାରୀ ଇନ୍ସପେକ୍ଟର ୨୦୨୦, ଜାନୁଆରି ୨୮ରେ ରିପୋର୍ଟ ଦାଖଲ କରିଥିଲେ । ମାମଲା ବିଚାରାଧୀନ ଥିବାବେଳେ ଗାଡି ତାଙ୍କ ଜିମାରେ ଛାଡିବା ପାଇଁ ରତ୍ନାକର ସିଆରପିସିର ଧାରା ୪୫୭ରେ ଆବେଦନ ଦାୟର କରିଥିଲେ । ଏହି ଆବେଦନ ବାରିପଦା ଏସଡିଜେଏମ୍ ଅଦାଲତ ଖାରଜ କରିବା ପରେ ଆବେଦନକାରୀ ମୟୂରଭଞ୍ଜ ଜିଲ୍ଲା ଜଜ୍ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ଜିଲ୍ଲାଜଜ୍ ମଧ୍ୟ ଆବେଦନକୁ ଖାରଜ କରିଥିଲେ । ଏହାପରେ ରତ୍ନାକର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
‘ସୁନ୍ଦରାଭାଇ ଅମ୍ବାଲା ଦେଶାଇ ବନାମ ଗୁଜରାଟ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଓ ‘ଦିଲ୍ଲୀପ ଦାସ ବନାମ ଓଡ଼ିଶା ସରକାର ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ଆଧାରରେ ଜଷ୍ଟିସ ପାଣିଗ୍ରାହୀ ଆବେଦନକାରୀ ରତ୍ନାକର ବେହେରାଙ୍କୁ ତାଙ୍କ ଗାଡ଼ି ଦେବାକୁ ଅନୁମତି ଦେଇଛନ୍ତି। ଏହି ରାୟ ହୁଏତ ବର୍ଷବର୍ଷ ଧରି ପଡ଼ିରହି ଗାଡ଼ି ନଷ୍ଟ ହେବା ପୂର୍ବରୁ ମାଲିକ ଫେରିପାଇବାର ବାଟ ପାଇପାରନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/Odisha-High-Court-5-640x430-640x430.jpg)