ମହାଲଢେଇ ପାଇଁ ମହାରଣନୀତି: ଦିଲ୍ଲୀବାସୀଙ୍କ ମନ କିଣିବାକୁ କେଉଁ ମୁଦ୍ଦା ନେଇ ଘରେ ପହଞ୍ଚିବେ ୩ ଦଳର ନେତା

313

କନକ ବ୍ୟୁରୋ: ଦିଲ୍ଲୀରେ ୨୦୧୫ ଅପେକ୍ଷା ୨୦୨୦ରେ ହେବ ଦମଦାର ଫାଇଟ । ଝାଡୁ, ପଦ୍ମ, ହାତ ଭିତରେ ହେବ ଜୋରଦାର ଲଢେଇ । ଯୁଦ୍ଧ ପାଇଁ ତାରିଖ ଘୋଷଣା କରିବା ପରେ ଏବେ ସଜବାଜ ଆରମ୍ଭ କଲେଣି ୩ ଦଳର ସେନା ଓ ସେନାପତି । ଦିଲ୍ଲୀ ଦରବାର ଦଖଲ ପାଇଁ ଗତଥର କଂଗ୍ରେସ, ବିଜେପି ଓ ଆପ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲେ ବି ସମସ୍ତଙ୍କୁ ପଛରେ ପକାଇ ୭୦ଟି ଆସନରୁ ୬୭ଟି ଆସନରେ ଝାଡୁ ମାରି ଦିଲ୍ଲୀବାସୀଙ୍କ ବିଶ୍ୱାସ ଜିତିଥିଲା ଆପ । ଆଉ ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ ଅରବିନ୍ଦ କେଜ୍ରିୱାଲ । ମାତ୍ର ଗତଥର ଅପେକ୍ଷା କୋଡିଏର ମହାଯୁଦ୍ଧ କାଣ୍ଟେକା ଟକ୍କର ହେବ । କାରଣ ୩ ପ୍ରମୁଖ ଦଳର ଲକ୍ଷ୍ୟ ଦିଲ୍ଲୀ ଗାଦି ଉପରେ ରହିଛି ।

ତେବେ ୨୦୧୫ରେ ଦିଲ୍ଲୀବାସୀଙ୍କ ମନ କିଣି ନେଇଥିଲେ ମଫଲରମ୍ୟାନ । ୭୦ରୁ ସିଟରୁ ୬୭ଟି ସିଟ ଆମ ଆଦମୀ ପାର୍ଟି ଅକ୍ତିଆର କରିଥିବା ବେେଳେ ମାତ୍ର ୩ଟି ସିଟ ଯାଇଥିଲା ବିଜେପି ବ୍ୟାଗକୁ । ଆଉ କଂଗ୍ରେସ କୌଣସି ଆସନରେ ଆଗେଇ ନପାରି ଦିଲ୍ଲୀ ମାଟିରେ ଚିତପଟାଙ୍ଗ ହୋଇ ପଡିଥିଲା ।ତେବେ ଏଥର ଆପ ପାଇଁ ଉଭୟ ବିଜେପି ଓ କଂଗ୍ରେସ କଣ୍ଟା ସାଜିପାରନ୍ତି । ବିଜେପି କେନ୍ଦ୍ର କ୍ଷମତାରେ ଥିବାରୁ ଦିଲ୍ଲୀରେ ମଧ୍ୟ ସତ୍ତାକୁ ଫେରିବାକୁ ସବୁ ବଳ ପ୍ରୟୋଗ କରିପାରେ । ସମସ୍ତ ଆସନକୁ ଗେରୁଆ କରିବାକୁ ବିଜେପି ଚାଣକ୍ୟ ସବୁ ରଣକୌଶଳ ଆପଣାଇ ପାରନ୍ତି ।

ଖାଲି ବିଜେପି ନୁହେଁ କଂଗ୍ରେସ ବି ଆପ ଆଗରେ କଣ୍ଟା ସାଜିପାରେ । ଯେହେତୁ ଗତ ଥର କୌଣସି ବି ସିଟରେ ନଜିତି କଂଗ୍ରେସ ଖାତା ଖୋଲି ପାରିନଥିଲା । ତେଣୁ ଏଥର ନିଜ ଅସ୍ଥିତ୍ୱ ଥିବା ଜଣାଇବାକୁ ଜୋରସୋର ପ୍ରସ୍ତୁତି କରିପାରେ । କୁହାଯାଉଛି ଦିଲ୍ଲୀରେ ବିଜେପିକୁ ଗତଥର ଭଳି ଏଥର ବି କ୍ଷମତାରୁ ଦୂରେଇ ରଖିବାକୁ ଉଭୟ ହାତ-ଝାଡୁ ମିଶି ପାରନ୍ତି । ମେଣ୍ଟ କରି ଉଭୟ କଂଗ୍ରେସ-ଆପ ବିଜେପି ବିରୋଧରେ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସେପଟେ ବିଭିନ୍ନ ମୁଦ୍ଦା ନେଇ ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ପାଖରେ ପହଞ୍ଚିବେ ସବୁ ଦଳ । ସତ୍ତାରେ ଥିବା ଆମ ଆଦମୀ ପାର୍ଟି ପୁଣି ଥର ପୂର୍ବ ଭଳି ଶସ୍ତା ପାଣି ଓ ଶସ୍ତା ବିଜୁଳି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ । ନିଜ ସରକାରର ସଫଳ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରି ଭୋଟ ମାଗିବ ।

ସେହିପରି ବିଜେପି ପାଇଁ ଦିଲ୍ଲୀ ଦଖଲ କଷ୍ଟ ହୋଇପାରେ । କାରଣ ଦିଲ୍ଲୀବାସୀଙ୍କ ପାଖରେ ପହଞ୍ଚିବା ତାଙ୍କୁ ଭୋଟ ମାଗିବାକୁ କିଛି ପ୍ରସଙ୍ଗ ଦରକାର । ମାତ୍ର ବିଜେପି ପାଖରେ କୌଣସି ଆଞ୍ଚଳିକ ପ୍ରସଙ୍ଗ ନାହିଁ । କିଛି ଅନଧିକୃତ କଲୋନୀକୁ ବିଜେପି ପକ୍କା ଘର କରିଛି । ତାଛଡା ଗତ ୨୦୧୯ ଲୋକସଭା ନିର୍ବାଚନରେ ଦିଲ୍ଲୀରୁ ବିଜେପି ୭ଟି ଲୋକସଭା ଆସନ ଜିତିଥିବାରୁ ସେମିତି କୌଣସି ଆକର୍ଷଣୀୟ ମୁଖ୍ୟମନ୍ତ୍ରୀ ଚେହେରା ନାହାନ୍ତି ଯିଏ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଚେକ ଦେଇ ପାରିବ । ତେଣୁ ବିଜେପି ଏୟାଷ୍ଟ୍ରାଇକ, ୩୭୦ ଉଚ୍ଛେଦ ଭଳି ବଡ ବଡ ଜାତୀୟ ପ୍ରସଙ୍ଗ ନେଇ ଲୋକଙ୍କ ନିକଟତର ହୋଇପାରେ ।

ଅନ୍ୟପଟେ କଂଗ୍ରେସ ବିଜେପି ସରକାରର ଦୋଷ ଦୁର୍ବଳତା ଓ ଜାତୀୟ ପ୍ରସଙ୍ଗ ନେଇ ଲୋକଙ୍କ ଆସ୍ଥା ଭାଜନ ହୋଇପାରେ । ବିଭିନ୍ନ ରାଜ୍ୟରେ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରୁଥିବାରୁ ଲୋକେ ମନ ପରିବର୍ତ୍ତନ ବି କରିପାରନ୍ତି । ଯଦି ଦିଲ୍ଲୀବାସୀ ଆପ କିମ୍ବା ବିଜେପିର ବିକଳ୍ପ କଂଗ୍ରେସକୁ ବାଛନ୍ତି ତେବେ ଦିଲ୍ଲୀରେ ଖାତା ଖୋଲିପାରେ କଂଗ୍ରେସ । ତେବେ କିଏ କେଉଁ ମୁଦ୍ଦା ନେଇ ଲୋକଙ୍କ ପାଖକୁ ଯାଉଛି ତାହା ଶୋଭାଯାତ୍ରା, ରାଲି ଓ ପ୍ରଚାର ବେଳେ ଜଣାପଡିବ ।