ଗୁପ୍ତଚରଙ୍କ ଠାରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ: କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ପାକିସ୍ତାନ ଏଜେଂଟକୁ ଦେଉଥିଲେ ସୂଚନା 

204

କନକ ବ୍ୟୁରୋ: ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପାକିସ୍ତାନ ଯୁବତୀଙ୍କୁ କ୍ଷେପଣାସ୍ତ୍ର ସମ୍ପର୍କୀୟ ଅନେକ କିଛି ସୂଚନା ଦିଆଯାଇଥିବା ଜଣାପଡିଛି । ଚାନ୍ଦିପୁର ଆଇଟିଆର ନିର୍ଦ୍ଦେଶକଙ୍କ ଗାଡି ଡ୍ରାଇଭର ସଚିନ୍ ଛେଟା ଏହି ସୂଚନା ଦେଇଛି ବୋଲି ସନ୍ଦେହ କରାଯାଉଛି । ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ବେଳେ ଏପରି କିଛି ସୂଚନା ପାଇଛି କ୍ରାଇମବ୍ରାଂଚ । ଡ୍ରାଇଭର ସଚିନ ଆଇଟିଆର ନିର୍ଦ୍ଦେଶକଙ୍କୁ ନେବା ଆଣିବା କରୁଥିଲା । ତେଣୁ ନିର୍ଦ୍ଦେଶକ ଫୋନରେ କଥା ହେବା ବେଳେ କିମ୍ବା କାହା ସହିତ ଆଲୋଚନା କରିବା ବେଳର ତଥ୍ୟ ସଚିନ ଦେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ସଚିନ ତିନି ଯୁବତୀଙ୍କ ସହ ସଂପର୍କରେ ଥିବା ମଧ୍ୟ ସୂଚନା ରହିଛି । ପୂର୍ବରୁ ଅନ୍ୟ ଅଭିଯୁକ୍ତ ହନିଟ୍ରାପରେ ଫସିଥିଲେ ବୋଲି ସୂଚନା ରହିଛି । ସଚିନ କ୍ଷେପଣାସ୍ତ୍ର ସଂପର୍କରେ ସୂଚନା ଦେବା ବେଳେ ଟଂକା କାରବାର କରିଥିବା ସନ୍ଦେହ କରାଯାଉଛି । ତେଣୁ ବ୍ୟାଂକ ଆକାଉଂଟ ତଥ୍ୟ ମିଳିବା ପରେ କ୍ରାଇମବ୍ରାଂଚ ପୁଣିଥରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ । ୫ ଅଭିଯୁକ୍ତଙ୍କ ୭ ଦିନିଆ ରିମାଣ୍ଡ ଅବଧି ଗତକାଲି ଶେଷ ହୋଇଯାଇଛି । ରିମାଣ୍ଡ ସମୟ ଶେଷ ପରେ କ୍ରାଇମବ୍ରାଂଚ ବାଲେଶ୍ୱର କୋର୍ଟରେ ଏମାନଙ୍କୁ ହାଜର କରାଇଥିଲା ।

ଏହାପରେ ଅଭିଯୁକ୍ତମାନଙ୍କୁ ବାଲେଶ୍ୱର ଜେଳକୁ ପଠାଇ ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ଜଣେ ଅଭିଯୁକ୍ତଙ୍କ ଆକାଉଂଟରେ ଅଳ୍ପ ଟଂକା କାରବାର ହେବା ଓ ସେ ଯୁବତୀଙ୍କ ସହ ଚାଟ ବେଳେ କ୍ଷେପଣାସ୍ତ୍ର ସମ୍ପର୍କିତ ତଥ୍ୟ ଦେଇଥିବା କଥା ସାମ୍ନାକୁ ଆସିଥିଲା । ତେବେ ତଦନ୍ତ ଜାରି ରହିଛି ଓ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ନିଆଯାଇପାରେ ବୋଲି କ୍ରାଇମବ୍ରାଂଚ ଅଧିକାରୀ ସୂଚନା ଦେଇଛନ୍ତି  ।