ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କୋର୍ଟ କହିଲେ, ହାଇକୋର୍ଟରେ ଚାଲିଥିବା ଶୁଣାଣୀକୁ ରୋକିବାକୁ ଚାହୁଁନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ

184

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀ ସମୟରେ ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ହୋଇଛି । କୋର୍ଟ କହିଲେ, ରାଷ୍ଟ୍ରୀୟ ବିପତ୍ତି ସମୟରେ ମୁକ ଦର୍ଶକ ବନି ରହିପାରିବେନି ସୁପ୍ରିମକୋର୍ଟ । ମଙ୍ଗଳବାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଅମ୍ଲଜାନ, ଔଷଧ ଓ ଟିକାର ଅଭାବକୁ ନେଇ ବିଭିନ୍ନ ହାଇକୋର୍ଟରେ ଶୁଣାଣି ହେଉଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ରୋକିବାକୁ ଚାହୁଁନାହାନ୍ତି । ହାଇକୋର୍ଟରେ କରୋନା ସମ୍ପର୍କିତ ମାମଲାର ଶୁଣାଣୀ ଚାଲିଥିବ । ସୁପ୍ରିମକୋର୍ଟ କେବଳ ରାଷ୍ଟ୍ରୀୟ ପ୍ରସଙ୍ଗରେ ଶୁଣାଣୀ କରିବେ, ଏପରି ରାଷ୍ଟ୍ରୀୟ ବିପତ୍ତି ସମୟରେ ସୁପ୍ରିମକୋର୍ଟ ମୁକଦର୍ଶକ ହୋଇ ରହିପାରିବେ ନାହିଁ ।

ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ଏନଏଲ ରାଓ ଓ ବିଚାରପତି ରବୀନ୍ଦ୍ର ଏସ୍ ଭଟ୍ଟ ଶୁଣାଣି କରି କହିଛନ୍ତି, ବିପତ୍ତି ସମୟରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମେ ଉଚ୍ଚ ନ୍ୟାୟାଳୟକୁ ଶୁଣାଣୀ କରିବାରୁ ଅଟକାଉ ନାହୁଁ । ଯଦି ହାଇକୋର୍ଟଙ୍କୁ ନିର୍ଦ୍ଧାରିତ ସୀମା ଯୋଗୁଁ କୌଣସି ପ୍ରସଙ୍ଗକୁ ପରିଚାଳନ କରିବା ପାଇଁ ଅସୁବିଧା ହେଉଥାଏ ତେବେ ସେ କ୍ଷେତ୍ରରେ ସୁପ୍ରିମକୋର୍ଟ ସାହାଯ୍ୟ ଯୋଗାଇ ଦେଇପାରିବେ ।

ମାମଲାର ଶୁଣାଣି କରି କେତେକ ପ୍ରସଙ୍ଗରେ କେନ୍ଦ୍ରକୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଅମ୍ଲଜାନ ଯୋଗାଣ, ରାଜ୍ୟ ଗୁଡିକର ଆବଶ୍ୟକତା, ବେଡର ଉପଲବ୍ଧତା ଓ ରେମଡିସିଭିର, ଫାଭିପିରାଭିର ସମେତ ଟିକା ଉପଲବ୍ଧତା ଓ ଏହାର ମୂଲ୍ୟ ଉପରେ କେନ୍ଦ୍ରକୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । କରୋନା ମହାମାରୀ ବେଳେ ବିଭିନ୍ନ ସ୍ଥାନରେ ଅମ୍ଲଜାନ, ଔଷଧ ଓ ଟିକାକୁ ନେଇ ଦେଖାଦେଇଥିବା ଅଭାବ ସମ୍ପର୍କରେ୬ଟି ହାଇକୋର୍ଟରେ ଶୁଣାଣି ହେଉଥିଲା । ଏହି ପ୍ରସଙ୍ଗରେ ନିଜ ଆଡୁ ସୁପ୍ରିମକୋର୍ଟ ଶୁଣାଣି କରି କରୋନା ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ନ୍ୟାସନାଲ ପ୍ଲାନ ସମ୍ପର୍କରେ ଜବାବ ମାଗିଥିଲେ ସୁପ୍ରିମକୋର୍ଟ ।