ଟିକଟକ୍ ପାଇଁ କଡାକଡି ହେବ ସାଇବର ତଦନ୍ତ । ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ, କହିଲେ ଅଶ୍ଳୀଳତା ଓ ନଗ୍ନତାକୁ ପ୍ରଶୟ ଦେଉଛି ଟିକଟକ୍ ଭିଡିଓ ।
କନକ ବ୍ୟୁରୋ : ଆଜି ଟିକଟକ୍ ଭିଡିଓକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । କୋର୍ଟଙ୍କ କହିବା ଅନୁଯାୟୀ, ରାଜ୍ୟରେ ଅଶ୍ଳୀଳତା ଓ ନଗ୍ନତାକୁ ପ୍ରଶୟ ଦେଉଛି ଟିକଟକ୍ ଭିଡିଓ । କେବଳ ସେତିକି ନୁହେଁ, ଗ୍ରାମାଂଚଳଠୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଏନେଇ ଅନେକ ଜୀବନ ଯାଉଛି ଆଉ ସମ୍ମାନହାନୀ ବି ଘଟୁଛି । ଏସବୁକୁ ରୋକିବା ପାଇଁ ରାଜ୍ୟରେ ସାଇବର ତଦନ୍ତକୁ କଡାକଡି କରାଯିବ । ସମ୍ବଲପୁରର ଏକ ମାମଲାର ବିଚାର କରିବା ବେଳେ ଆଜି କିଛି ଏଭଳି ରାୟ ଶୁଣାଇଛନ୍ତି ହାଇକୋର୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
ନିକଟରେ ଟିକଟକ ଭିଡ଼ିଓକୁ ନେଇ ନୟାଗଡ ଏବଂ ଗଞ୍ଜାମରୁ ମୃତ୍ୟୁର ଏମିତି ଖବର ସାମ୍ନାକୁ ଆସିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଟିକଟକ ନିଶା ଏମିତି ଚଢିଯାଇଥିଲା ଯେ, ସିଲିଂ ଫ୍ୟାନରେ ଶାଢୀ ବାନ୍ଧି ଆତ୍ମହତ୍ୟାର ଅଭିନୟ କରୁଥିବା ବେଳେ, ନୟାଗଡରେ ଚାଲିଯାଇଥିଲା ଜଣେ ୧୫ ବର୍ଷୀୟ ନାବାଳକଙ୍କର ଜୀବନ । ସେହିପରି ଗଞ୍ଜାମରେ ତାରାତାରିଣୀଙ୍କୁ ଦର୍ଶନ କରି ଫେରିବା ବେଳେ ରାସ୍ତାରେ ଟିକଟକ ଭିଡିଓ କରୁଥିବା ସମୟରେ ଦୁର୍ଘଟଣାରେ ଚାଲିଯାଇଥିଲା ଜଣଙ୍କର ଜୀବନ । ଏପରିକି ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଆମେରିକା ସେନା ମଧ୍ୟ ଟିକଟକକୁ ବ୍ୟାନ୍ କରିଛି ।
ତେବେ ଟିକଟକକୁ ଭାରତରୁ ବ୍ୟାନ୍ କରିବା ପାଇଁ ମଧ୍ୟ ଅନେକ ଦାବି ଉଠୁଛି । ଏପରିକି ସୋସିଆଲ ମିଡିଆରେ ଟିକଟକକୁ ନେଇ ଅନେକ ନକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ, ଗୁଗୁଲ ପ୍ଲେ ଷ୍ଟୋରରେ ଟିକଟକର ରେଟିଂ ବହୁତ ତଳକୁ ଖସିଆସିଥିଲା ।
ଅନ୍ୟପଟେ ଟିକଟକକୁ ଟକ୍କର ଦେବା ପାଇଁ ଏବେ ସ୍ୱଦେଶୀ ଆପ୍ ମିତ୍ରୋ ଅନେକ ଲୋକପ୍ରିୟତା ସାଉଁଟିପାରିଛି । ଏପରିକି ବହୁତ ଅଳ୍ପ ଦିନରେ ଏହି ଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢିଯାଇଛି । ତେବେ ଟିକଟକକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେ ଏବେ କଡାକଡି ହେବ ସାଇବର ତଦନ୍ତ ।