ସୁମିତ-ତପସ୍ୱିନୀ କଳହ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ ଏକାଠି ରହିବେ ସ୍ୱାମୀ-ସ୍ତ୍ରୀ

684

କନକ ବ୍ୟୁରୋ: ସୁମିତ-ତପସ୍ୱିନୀ କଳହ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପୁଣି ତପସ୍ୱିନୀଙ୍କ ସହ ଏକାଠି ରହିବେ ସ୍ୱାମୀ ସୁମିତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ ଉଭୟ ଏକାଠି ହୋଇ ରହିବେ ବୋଲି କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଆସନ୍ତା ୧୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେପର୍ଯ୍ୟନ୍ତ ଆସ୍କା ସ୍ଥିତ ଭଡା ଘରେ ଉଭୟ ସ୍ୱାମୀ-ସ୍ତ୍ରୀ ଏକାଠି ରହିବେ । ତେବେ ଆଇଆଇସି ଓ ସୁରକ୍ଷା ଅଧିକାରୀ ପ୍ରତି ସପ୍ତାହରେ ଏହାର ରିପୋର୍ଟ ଦେବେ ।

ଆଜିକୁ ଡାକ୍ତର ଦମ୍ପତ୍ତିଙ୍କ ୭ ଦିନ ରହଣିର ଅବଧି ପୁରିଥିଲା । ତପସ୍ୱିନୀ ଓ ଡାକ୍ତର ସୁମିତଙ୍କୁ ଏକାଠି ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ତେଣୁ ଗତ ୨ ତାରିଖରୁ ତପସ୍ୱିନୀ ଓ ସୁମିତ ଏକାଠି ରହି ଆସୁଥିଲେ । ଏହି ୭ ଦିନରେ ତାଙ୍କ ଚାଲିଚଳଣର ରିପୋର୍ଟ ଆସିକା ଥାନାଧିକାରୀ ଏବଂ ପ୍ରୋଟେକ୍ସନ ଅଫିସର ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଦାଖଲ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ଉଭୟଙ୍କୁ ଭଡ଼ା ଘରେ ରଖିବାକୁ ଆସିକା ପୋଲିସ ଉଦ୍ୟମ କରିଥିଲା । ହେଲେ ଭଡ଼ା ଘର ତୁରନ୍ତ ନମିଳିବା ଯୋଗୁଁ ଦୁହିଁଙ୍କୁ ଆସିକା ଚିନିକଳ ଅତିଥି ଭବନରେ ରଖାଯାଇଥିଲା ।