ଘରୋଇ ଓ ଇଂରାଜୀ ମାଧ୍ୟମ ସ୍କୁଲରେ କମିବ କି ସ୍କୁଲ ଫି ? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଏବଂ ଶିକ୍ଷା ବିଭାଗ ମିଳିତ ଭାବେ ଆଲୋଚନା କରି ସମାଧାନ ଖୋଜିବାକୁ ଦେଲେ ପରାମର୍ଶ ।

720

କନକ ବ୍ୟୁରୋ : କରୋନାବେଳେ ସ୍କୁଲ ଫି କମ କରିବା ନେଇ ଅଭିଭାବକ ସଂଘର ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟର୍ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଭିଭାବକ ସଂଘ ଓ ବେସରକାରୀ ସ୍କୁଲ ସଂଘକୁ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ସଚିବ ମଧ୍ୟସ୍ଥତା କରି, ସମାଧାନର ରାସ୍ତା ବାହାର କରିବେ । ଏବଂ ଏହି ବୈଠକରେ ହୋଇଥିବା ନିଷ୍ପତି ହାଇକୋର୍ଟଙ୍କୁ ଜଣାଇବେ । ଏହି ନିର୍ଦ୍ଦେଶ ପରେ ସ୍କୁଲ ଫି କମ୍ ହେବା ନେଇ ବାଟ ଫିଟିଛି ।

କମିବ କି ସ୍କୁଲ ଫି ? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବେସରକାରୀ ସ୍କୁଲ ଓ ଇଂରାଜୀ ମିଡିୟମ ସ୍କୁଲରେ ଟ୍ୟୁସନ ଫି ଓ ଅନ୍ୟ ଆନୁଷଙ୍ଗିକ ଦେୟ କମ କରିବା ପାଇଁ ଅଭିଭାବକ ସଂଘର ଆବେଦନ ଉପରେ ରାୟ ଶୁଣାଇଛନ୍ତି ହାଇକୋର୍ଟ ।

ସମସ୍ତ ଅଂଶିଦାର ସଦସ୍ୟଙ୍କୁ ନେଇ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ହାଇକୋର୍ଟ କହିଛନ୍ତି । ଗଣଶିକ୍ଷା ସଚିବ ଏହି ବୈଠକ ଡାକିବେ । ଏବଂ ତାଙ୍କରି ଅଧ୍ୟକ୍ଷତାରେ ଅଭିଭାବକ ସଂଘ, ବେସରକାରୀ ସ୍କୁଲ ପ୍ରତିନିଧିଙ୍କୁ ନେଇ ତର୍ଜମା କରାଯିବ । ବୈଠକରେ ଯାହା ନିଷ୍ପତି ହେବ ତାହା ହାଇକୋର୍ଟଙ୍କୁ ଜଣାଇ ଦିଆଯିବ । ହାଇକୋର୍ଟ ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ।

ଏବେ ଆସନ୍ତୁ ଦେଖିବା ହାଇକୋର୍ଟରେ ଅଭିଭାବକ ସଂଘ ଏବଂ ବେସରକାରୀ ସ୍କୁଲ ପ୍ରତିନିଧି କ’ଣ ଯୁକ୍ତି ଦର୍ଶାଇ ଥିଲେ । ଅଭିଭାବକ ସଂଘ କହିଥିଲେ, ସ୍କୁଲ ସିଲାବସ ୩୦ ପ୍ରତିଶତ କମିଛି । ସ୍କୁଲରେ ପାଠପଢା ହେଉନାହିଁ । ଏବଂ ଅନଲାଇନରେ ଆବଶ୍ୟକ ସଂଖ୍ୟକ କ୍ଲାସ ବଦଳରେ ଅଳ୍ପ କ୍ଲାସ ହେଉଛି । ତେଣୁ ୫୦ ପ୍ରତିଶତ ଫି କାହିଁକି କମିବ ନାହିଁ ।

ସେପଟେ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷଙ୍କ ଯୁକ୍ତି ହେଲା, ଅନଲାଇନରେ କ୍ଲାସ ନିଆଯାଉଛି । ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କୁ ମାସିକ ଦରମା ଦିଆଯାଉଛି । ସ୍କୁଲ ଚଳାଇବା ପାଇଁ ଆବଶ୍ୟକ ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ ହେଉଛି । ତେଣୁ ସଂସ୍ଥା ଚଳାଇ ରଖିବାକୁ ଫି ଆଦାୟ କରିବା ଦରକାର ।

ମାର୍ଚ୍ଚ ମାସରେ ଓଡିଶାରେ କରୋନା ମାଡିବା ଆରମ୍ଭ ହେବା ପରେ ଏପ୍ରିଲ ମାସରୁ କାହାର ଦରମା କଟିବା ଆରମ୍ଭ ହୋଇଗଲା ତ କାହାର ଚାକିରି ଗଲା ଏବଂ ବ୍ୟବସାୟୀଙ୍କ ଦୋକାନ ବି ବନ୍ଦ ହୋଇଗଲା । ତେଣୁ ଏହି ସମୟରେ ସ୍କୁଲ ଫି ଦେବାକୁ ନେଇ ଉଠିଛି ପ୍ରଶ୍ନ । ପରବର୍ତ୍ତୀ ଶୁଣାଣିରେ ହାଇକୋର୍ଟ ୩ପକ୍ଷଙ୍କ ଆଲୋଚନାକୁ ନେଇ କୌଣସି ନିଷ୍କର୍ସରେ ପହଂଚିବାର ସମ୍ଭାବନା ରହିଛି ।