କନକ ବ୍ୟୁରୋ : ଏଇ ନଭେମ୍ବର ୨୭ ତାରିଖରେ, ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । କୋଭିଡ଼ କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ, ଏହି ଦୁର୍ଲଭ ବେଶ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେବେ। କିନ୍ତୁ ୧୯୯୩ ପରେ ୧୯୯୪ରେ ଏହି ବେଶ ହେବା ପରି, ଆଗାମୀ ବର୍ଷ ମଧ୍ୟ ଏହି ବେଶ ହେବାର ସମ୍ଭାବନା ଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜିଠୁ ୨୬ବର୍ଷ ପୂର୍ବେ, ୧୯୯୪ ମସିହା ନଭେମ୍ବର ମାସ ୧୬ ତାରିଖରେ ଶ୍ରୀମନ୍ଦିରରେ ଶେଷଥରପାଇଁ ନାଗାର୍ଜୁନ ବେଶ ହୋଇଥିଲା । ୧୯୯୩ ନଭେମ୍ବର ୨୬ରେ ହୋଇଥିବା ବେଶରେ ଦଳାଚକଟା ଘଟି ତିନିଜଣ ଭକ୍ତଙ୍କର ପ୍ରାଣହାନି ହେବା ସତ୍ତ୍ୱେ, ସେ ବର୍ଷ ଭକ୍ତମାନଙ୍କର ଉତ୍ସାହରେ ଭଟ୍ଟା ପଡ଼ି ନଥିଲା । ୧୯୯୩ର ଏହି ବେଶ କାର୍ତ୍ତିକ ଶୁକ୍ଳପକ୍ଷ ମଳ ଦ୍ୱାଦଶୀ ତିଥିରେ ହୋଇଥିବା ବେଳେ, ୧୯୯୪ର ବେଶ କାର୍ତ୍ତିକ ଶୁକ୍ଳପକ୍ଷ ମଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହୋଇଥିଲା । ୧୯୯୩ ବର୍ଷ ପରି, ଏ ବର୍ଷ ମଧ୍ୟ ଏହି ବେଶ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେବ ।
ଏହି ଦୁର୍ଲଭ ନାଗାର୍ଜୁନ ବେଶର ଅନ୍ୟାନ୍ୟ ପ୍ରସଙ୍ଗକୁ ଯିବା ପୂର୍ବରୁ, ଏହି ‘ମଳ’ ତିଥି କ’ଣ ଏବଂ ‘ମଳ’ ତିଥିରେ ଏହି ବେଶ ହେବାର ତାତ୍ପର୍ୟ୍ୟ କ’ଣ, ତାହା ପ୍ରଥମେ ବୁଝିବା ଆବଶ୍ୟକ ।
ଆମର ଦିନ ବା ବାରର ଗଣନା ସୂର୍ୟ୍ୟଙ୍କ ଗତି ଅନୁସାରେ କରାଯାଉଥିବା ବେଳେ, ଚନ୍ଦ୍ରଙ୍କ ଗତି ଅନୁସାରେ ତିଥି ଗଣନା କରାଯାଏ । ଏଣୁ ସୂର୍ୟ୍ୟଙ୍କ ଉଦୟରୁ ନୂଆ ଦିନ ବା ନୂଆ ବାରର ଆରମ୍ଭ ହୁଏ । କିନ୍ତୁ ଚନ୍ଦ୍ର ପୃଥିବୀର ଚାରିପାଖରେ ଏକ ଡିମ୍ବାକୃତି ପଥରେ ଗତି କରୁଥିବାରୁ, ତିଥିର ଅବଧିରେ ତାରତମ୍ୟ ଦେଖାଯାଇଥାଏ । ଏହିପରି ଭାବରେ, ପ୍ରତି ମାସର ପୂର୍ଣ୍ଣିମା ପରେ, ପ୍ରତିପଦରୁ ଅମାବାସ୍ୟା ପର୍ୟ୍ୟନ୍ତ ଗୋଟିଏ ପକ୍ଷ ଏବଂ ପ୍ରତିମାସର ଅମାବାସ୍ୟା ପରେ, ପ୍ରତିପଦରୁ ପୂର୍ଣ୍ଣମୀ ପର୍ୟ୍ୟନ୍ତ ଆଉ ଗୋଟିଏ ପକ୍ଷ ହୁଏ। ଏଥିରୁ ପ୍ରଥମଟି କୃଷ୍ଣପକ୍ଷ ଏବଂ ଦ୍ୱିତୀୟଟି ଶୁକ୍ଳପକ୍ଷ ଭାବରେ ନାମିତ ହୋଇଛି ।
ସୂର୍ୟ୍ୟଙ୍କ ଉଦୟରୁ ଆଉ ଗୋଟିଏ ଉଦୟର ପୂର୍ବ ପର୍ୟ୍ୟନ୍ତ ସମୟ ସାଧାରଣତଃ ୨୪ଘଣ୍ଟା ବା ଗୋଟିଏ ଦିନ। କିନ୍ତୁ ଚନ୍ଦ୍ରଙ୍କ ଗତି ଅନୁସାରେ ଗଣନା କରାଯାଉଥିବା ତିଥିର ଅବଧି ୨୪ଘଣ୍ଟା ହୋଇ ନ ଥାଏ । ଏହାର ଅବଧି ୧୯ ଘଣ୍ଟାରୁ ୨୭ଘଣ୍ଟା ହୋଇପାରେ । ତେଣୁ ତିଥି ଆଉ ବାରର ଅବଧିରେ ତାଳମେଳ ରହେନାହିଁ । ସେଥିପାଇଁ ଗଣନା ବେଳେ ‘ତିଥି କ୍ଷୟ’ ଓ ‘ତିଥି ବୃଦ୍ଧି’ ର ହିସାବ କରାଯାଏ । ‘ତିଥି କ୍ଷୟ’ ହେଉଛି ସୂର୍ୟ୍ୟୋଦୟ ପୂର୍ବରୁ ଶେଷ ବା ଆରମ୍ଭ ହେଉଥିବା ତିଥି ଏବଂ ତିଥିବୃଦ୍ଧି ହେଉଛି, ସୂର୍ୟ୍ୟୋଦୟ ପୂର୍ବରୁ ଆରମ୍ଭ ହୋଇ ସୂର୍ୟ୍ୟୋଦୟ ପରେ ସରୁଥିବା ତିଥି । କିନ୍ତୁ ଯଦି କୌଣସି ତିଥି ଦୁଇଟି ସୂର୍ୟ୍ୟୋଦୟକୁ ସ୍ପର୍ଶ କରୁଥାଏ, ତେବେ ସେହି ତିଥିଟି ଅଧିକ ହୁଏ; ଅର୍ଥାତ୍ ଗୋଟିଏ ତିଥି ଦୁଇଦିନ ହୋଇଯାଏ । ଏହି ଅଧିକ ତିଥି ହେଉଛି ‘ମଳ’ ତିଥି ।
କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀରୁ ପୂର୍ଣ୍ଣିମା ପର୍ୟ୍ୟନ୍ତ ପାଞ୍ଚଦିନ ‘ପଞ୍ଚକ’ ବା ଲୋକକଥିତ ଭାବରେ ‘ପଞ୍ଚୁକ’ ରୂପେ ପାଳିତ ହୁଏ । କିନ୍ତୁ ଏପରି ଅଧିକ ତିଥିରେ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଛଅଦିନ ହୋଇଯାଏ । ଏଣୁ ଏ କ୍ଷେତ୍ରରେ ଯେଉଁ ତିଥିଟି ଅଧିକ ବା ‘ମଳ’ ହୋଇଥାଏ, ସେହି ତିଥିରେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ । ୧୯୯୩ରେ ଏହି ଅଧିକ ବା ‘ମଳ’ ତିଥି ଦ୍ୱାଦଶୀରେ ପଡ଼ିଥିବା ବେଳେ, ୧୯୯୪ରେ ତ୍ରୟୋଦଶୀରେ ପଡ଼ିଥିଲା । ଏ ବର୍ଷ ଏହା ପୁଣି ଦ୍ୱାଦଶୀ ତିଥିରେ ପଡୁଥିବାରୁ, ଏ ବର୍ଷ ନଭେମ୍ବର ୨୭ ତାରିଖ ଦିନ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ହେଉଛି ।
ସାଧାରଣ ଲୋକବିଶ୍ୱାସରେ ‘ମଳ’ ହେଉଛି ଅଶୁଭ । ସେଥିପାଇଁ, ମାସ ଗଣନା ଅନୁସାରେ ଯେଉଁ ମାସଟି ଅଧିକ ବା ‘ମଳ’, ସେହି ମାସରେ କୌଣସି ମାଙ୍ଗଳିକ କାର୍ୟ୍ୟ କରାଯାଏ ନାହିଁ । କିନ୍ତୁ ଶ୍ରୀଜଗନ୍ନାଥ ଚେତନାର ବିଶେଷତ୍ୱ ହେଉଛି- ଯାହା ସାଧାରଣରେ ଅଶୁଭ, ତାହା ପ୍ରଭୁଙ୍କପାଇଁ ଅଶୁଭ ନୁହେଁ । ତେଣୁ ଶ୍ରୀଜଗନ୍ନାଥ ‘ମଳମାସ’କୁ ନିଜର ନାଆଁ ଦେଇ ‘ପୁରୁଷୋତ୍ତମ ମାସ’ ଭାବରେ ପରିଚିତ କରାଇଛନ୍ତି । ଏହିପରି ‘ମଳ ଆଷାଢ଼’ ମାସରେ ହିଁ ଶ୍ରୀଜଗନ୍ନାଥଙ୍କର ପବିତ୍ର ନବକଳେବର ହୋଇଥାଏ । ସେହିପରି, କାର୍ତ୍ତିକ ମାସର ‘ପଞ୍ଚକ’ରେ ପଡୁଥିବା ମଳ ତିଥିରେ ହିଁ ତାଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ । କାରଣ, ‘ମଳ’ ତିଥିରେ ହେଉଥିଲେ ମଧ୍ୟ ଏ ବେଶ ‘ଅମଳ’ ବା ପବିତ୍ର ।