କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଆରମ୍ଭ ହୋଇସାରିଛି । କରୋନାକୁ ମାତ ଦେବା ପାଇଁ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣକୁ ଆହୁରୀ ବ୍ୟାପକ କରାଯିବ । ପ୍ରଥମ ପର୍ଯ୍ୟାୟରେ ୩କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ସରକାରଙ୍କ ବଜେଟରେ କରୋନା ବିରୋଧୀ ଲଢେଇ ପ୍ରାଥମିକତା ପାଇଛି ।

Advertisment

ଆଜି କରୋନା ଟିକା ପାଇଁ ୩୫ହଜାର କୋଟି ଟଙ୍କାର ବଜେଟ ଘୋଷଣା କରି ସରକାରଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶରେ ୨ଟି ଟିକାକୁ ଅନୁମତି ମିଳିଛି । ଆଉ ୨ଟି ଟିକାକୁ ଅନୁମତି ମିଳିବାକୁ ଯାଉଛି । ଏଥିସହ ବିଶ୍ୱର ଶହେଟି ଦେଶକୁ କରୋନା ଟିକା ଯୋଗାଇ ଦେଇ ମହାମାରୀ ବିରୋଧି ମହାଲଢେଇର ଭାରତ ନେତୃତ୍ୱ ନେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଆଗକୁ ବିଧାନସଭା ନିର୍ବାଚନ ଥିବା ରାଜ୍ୟଗୁଡିକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି । ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ କେରଳ ପାଇଁ ଟଙ୍କାର ବର୍ଷା ହୋଇଛି । ଏହି ରାଜ୍ୟଗୁଡିକରେ  ସଡକ ଭିତିଭୂମି ପାଇଁ ୨ ଲକ୍ଷ ୨୭ ହଜାର କୋଟି ଖର୍ଚ୍ଚ କରାଯିବାକୁ ଘୋଷଣା ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଶ୍ଚିମବଙ୍ଗ ଅପେକ୍ଷା ତାମିଲନାଡୁକୁ ଅଧିକ ଗୁରୁତ୍ୱ ମିଳିଛି । ପଶ୍ଚିମବଙ୍ଗରେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚରେ କୋଲକାତା–ସିଲିଗୁଡି ମଧ୍ୟରେ ଜାତୀୟ ରାଜପଥ ତିଆରି କରାଯିବ । ସେହିଭଳି ଆସାମରେ ରାସ୍ତା ନିର୍ମାଣ ପାଇଁ ୩୪ ହଜାର କୋଟି ଟଙ୍କା ବ୍ୟୟ ହେବ । ତାମିଲନାଡୁରେ ୩୫ ଶହ କିଲୋମିଟର ହାଇୱେ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ନିର୍ବାଚନ ହେବାକୁ ଥିବା କେରଳରେ ୧୧ ଶହ କିଲୋମିଟରର ହାଇୱେ ନିର୍ମାଣ ହେବ । ଏହି ପ୍ରକଳ୍ପରେ ମୁମ୍ବାଇ-କନ୍ୟାକୁମାରୀ କରିଡର ହେବ । ଏଥିପାଇଁ  ଖର୍ଚ ହେବ ୬୫ ହଜାର କୋଟି ଟଙ୍କା ।

ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଏମଏସପିକୁ ନେଇ ଅର୍ଥମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କୃଷକଙ୍କୁ ଉତ୍ପାଦନ ଖର୍ଚର ଦେଢଗୁଣା ଦେବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଚାଷୀଙ୍କ ଆୟ ଦୁଇ ଗୁଣା କରିବା ପାଇଁ ପ୍ରତିଶ୍ରୁତି ଦୋହରାଇଛନ୍ତି ସୀତାରମଣ । ସେହିପରି କୃଷି ଋଣର ପରିମାଣକୁ ୧୬.୫ଲକ୍ଷ କୋଟି ବୃଦ୍ଧି କରାଯିବା ଲକ୍ଷ୍ୟ ରଖାଯାଇଛି । ଏବଂ ଚାଷ କ୍ଷେତ୍ର ଭିତ୍ତିଭୂମି ପାଇଁ ପାଣ୍ଠିକୁ ୪୦ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

୨୦୨୦-୨୧ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ପ୍ରଥମ ଥର ପାଇଁ ସଂସଦରେ ପେପରଲେସ୍ ବଜେଟ ଉପସ୍ଥାପନ ହୋଇଛି । ଭାରତରେ ନିର୍ମିତ ସ୍ୱଦେଶୀ ଟାବଲେଟ ମାଧ୍ୟମରେ ଅଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି ।