ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ । ଲିଟର ପିଛା ୨୦ ଟଙ୍କା ବଢିଲାଣି ଖାଇବା ତେଲ ଦର ।

197

କନକ ବ୍ୟୁରୋ : ରୁଷ ଓ ୟୁକ୍ରେନ ଯୁଦ୍ଧ ବଢାଉଛି ତେଲ ଦର । ଦେଶରେ ବ୍ୟବହାର ହେଉଥିବା ଖାଇବା ତେଲର ବଡ ଭାଗ ବିଦେଶରୁ ଆମଦାନୀ ହୋଇଥାଏ । ଏବେ ଯୁଦ୍ଧ ଯୋଗୁଁ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରଭାବରେ ଖାଇବା ତେଲର ଦାମ ବଢିଛି । ସେହିପରି ଉତ୍ତରପ୍ରଦେଶ ନିର୍ବାଚନ ଆସନ୍ତା ସପ୍ତାହରେ ଶେଷ ହେବା ପରେ ତୈଳ ଦର ବଢିବା ଅନୁମାନ କରାଯାଉଛି । କାରଣ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୧୧୭ ଡଲାର ଟପିଛି । ଯେଉଁଥିପାଇଁ ତେଲ କମ୍ପାନୀ ଲିଟର ପିଛା ପାଖାପାଖି ୯ ଟଙ୍କା କ୍ଷତି ସହୁଛନ୍ତି । ତେଣୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ, ଡିଜେଲ ଦର ବଢିବ ବୋଲି ଚର୍ଚ୍ଚା ହେଉଛି ।

ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଏବେ ଭାରତୀୟ ବଜାରରେ ପଡିଛି । ପ୍ରଥମେ ଅଶୋଧିତ ତେଲର ଦାମ ବଢିଲା । ଆଉ ଏବେ ଖାଇବା ତେଲର ଦାମ ବଢିବ ବୋଲି ସୂଚନା ରହିଛି । କୁହାଯାଉଛି ହୋଲି ପୂର୍ବରୁ ଖାଇବା ତେଲ, ଆଇସକ୍ରିମର ଦାମ ବଢିଯିବ ।

ରୁଷ-ୟୁକ୍ରେନ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଥିବା ବେଳେ ଖାଇବା ତେଲର ଦାମ ୧୫ ଦିନ ମଧ୍ୟରେ ୨୦ରୁ ୨୫ ଟଙ୍କା ବଢିଛି । ସୋୟା, ପାମ୍ ଏବଂ ସୂର୍ଯ୍ୟମୂଖୀ ସହ ଅନ୍ୟାନ୍ୟ ତେଲର ଦାମ ବଢୁଥିବାରୁ ଲୋକଙ୍କ ପକେଟ ଉପରେ ଏହାର ବୋଝ ପଡିଛି । ତେଲର ଦାମ ପୂର୍ବରୁ ବଢିଥିବା ବେଳେ ଏବେ ଯୁଦ୍ଧ ପାଇଁ ଆମଦାନୀ ପ୍ରଭାବିତ ହୋଇଥିବାରୁ ତେଲ ଦାମ ଆହୁରି ବଢିଛି । ଦେଶରେ ୬୫ ପ୍ରତିଶତ ଖାଇବା ତେଲ ଆମଦାନୀ ହୁଏ । ମୁଖ୍ୟତଃ ମାଲେସିଆ, ଇଣ୍ଡୋନେସିଆରୁ ତେଲ ଆମଦାନୀ ହୋଇଥାଏ । ଡିସେମ୍ବର ତୁଳନାରେ ଜାନୁଆରୀରେ ଖାଇବା ତେଲର ଉତ୍ପାଦନ ୧୪ ପ୍ରତିଶତରୁ ଖସି ୮ ପ୍ରତିଶତରେ ପହଞ୍ଚିଛି । ସେହିପରି ସୂର୍ଯ୍ୟମୂଖୀ ତେଲ ୨୦ ପ୍ରତିଶତ ଆମଦାନୀ ହୁଏ । ଏହି ତେଲ ୟୁକ୍ରେନରୁ ଆସିଥାଏ । ଯୁଦ୍ଧ ପାଇଁ ତେଲ ଆମଦାନୀ ଏବେ ପ୍ରଭାବିତ ହୋଇଛି । ତେଣୁ ମହଙ୍ଗା ହୋଇଛି ରୋଷେଇ ବଜେଟ । ଏହାବାଦ ଆଇସକ୍ରିମ ଏବଂ ବିଭିନ୍ନ ଚଟପଟି ଖାଦ୍ୟର ଦାମ ମଧ୍ୟ ବଢିପାରେ ।

ତେଜୁଛି ଯୁଦ୍ଧ, ବଢୁଛି ଅଶୋଧିତ ତେଲର ଦାମ୍ । ମାର୍ଚ୍ଚ ୧୦ ପରେ ବଢିବ ପେଟ୍ରୋଲ ଓ ଡିଜେଲ ଦର ? ରୁଷ ଏବଂ ୟୁକ୍ରେନ ଘମାଘୋଟ ଯୁଦ୍ଧ ଭିତରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୧୧୫ ଡଲାର ଉପରେ ରହିଛି । ହେଲେ ଏଯାବତ ଭାରତରେ ତେଲ ଦର ସ୍ଥିର ରହିଛି । ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ତେଲ ଦର ୫ ଟଙ୍କା ଉପରେ ବଢିପାରେ ବୋଲି ଆକଳନ ହେଉଛି । ଅନ୍ତିମ ଥର ପାଇଁ ଗତବର୍ଷ ନଭେମ୍ବର ୪ରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ପରିବର୍ତନ ହୋଇଥିଲା । ଏବେ ୧୨୦ ଦିନ ହେବ ତେଲ ଦର ସ୍ଥିର ରହିଛି । କୋଭିଡ ମହାମାରୀ କାରଣ ହେଉ ଅବା ଏବେର ରୁଷ ୟୁକ୍ରେନ ଯୁଦ୍ଧ, ଅନ୍ତର୍ଜାତୀୟ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେଉଥିବାରୁ ବିଭିନ୍ନ ଜିନିଷର ଦର ଦାମ ବଢୁଛି ।