ପୋଲିସ ମୁଖିଆ ଭାବେ ଦାୟିତ୍ୱ ନେଲେ ଅଭୟ । ପ୍ରଥମ ପ୍ରତିକ୍ରିୟାରେ କହିଲେ, ମୋ ସରକାର କାର୍ଯ୍ୟକ୍ରମକୁ ଦିଆଯିବ ପ୍ରାଥମିକତା, ଫୋକସରେ ରହିବ ଅପରାଧ ଦମନ ।

457

କନକ ବ୍ୟୁରୋ : ଓଡିଶା ପୋଲିସ ଡିଜି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ଆଇପିଏସ ଅଫିସର ଅଭୟ । ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ୱଗ୍ରହଣ ପରେ ଆଗାମୀ ଦିନରେ ଓଡିଶା ପୋଲିସର ରୋଡମ୍ୟାପ୍ କଣ ରହିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଅଭୟ ।

ମୋ ସରକାର କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଯିବ ବୋଲି ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଅଭୟ । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ କିଭଳି ଭଲ ବ୍ୟବହାର କରାଯିବ ଓ ତାଙ୍କ କଥା ଶୁଣାଯିବ ତାହା ଉପରେ ଫୋକସ ରହିବ । ଏହାଛଡା ଲୋକଙ୍କ ମଧ୍ୟରେ ପୋଲିସ କିଭଳି ଜନପ୍ରିୟ ହୋଇପାରିବ ସେନେଇ ଚେଷ୍ଟା କରାଯିବ । ଦ୍ୱିତୀୟରେ ରାଜ୍ୟ ସରକାରଙ୍କ ୫ଟି ଅନୁଯାୟୀ ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି ଓ ଟାଇମ ଲିମିଟ ମଧ୍ୟରେ କାମ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ପୋଲିସ ମୁଖିଆ ।

ଏହାଛଡା ମହିଳାଙ୍କ ଉପରେ ହେଉଥିବା ଅପରାଧକୁ ରୋକିବାକୁ ଗୁରୁତ୍ୱ ଦେଇଛନ୍ତି ନୂଆ ପୋଲିସ ଡିଜି । ମହିଳାଙ୍କ ଉପରେ ଅତ୍ୟାଚାର ମାମଲାକୁ କିଭଳି ଶୀଘ୍ର ତଦନ୍ତ କରାଯିବ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଅଭୟ । ସେହିଭଳି ମାଓ ଦମନ ନିୟନ୍ତ୍ରଣ କିଭଳି କରାଯିବ ତାହା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବା ନେଇ ସଂକେତ ଦେଇଛନ୍ତି ଅଭୟ ।

ମାଫିଆ ଓ ଅପରାଧୀଙ୍କୁ ସାବାଡ କରିବାକୁ ନୂଆ ରଣନୀତି ଆପଣାଇବ ଓଡିଶା ପୋଲିସ । ଡିଜି ଭାବେ ଦାୟିତ୍ୱ ନେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଭୟ । ରାଜ୍ୟ ପୋଲିସର ଯାଞ୍ଚ ପ୍ରକ୍ରିୟାକୁ ଆହୁରି ଉନ୍ନତମାନର କରିବା ଯାହାଦ୍ୱାରା ଠିକ୍ ସମୟରେ ଅପରାଧୀଙ୍କୁ ଧରାଯାଇପାରିବ । ଏଭଳି ୬ଟି ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି ନୂଆ ଡିଜିପି ।

ଓଡିଶା ପୋଲିସ ଡିଜି ଦାୟିତ୍ୱ ଗ୍ରହଣ ପୂର୍ବରୁ ଅଭୟ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ । ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ଡେପୁଟେସନରୁ ଫେରିବା ପରେ ଆଜି ଆନୁଷ୍ଠାନିକ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏହି ଆଇପିଏସ ଅଫିସର ।
ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପୋଲିସ ଡିଜି ବିଜୟ ଶର୍ମାଙ୍କ ବଦଳି ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ ରାଜ୍ୟ ସରକାର । କିନ୍ତୁ ସେତେବେଳେ ଅଭୟ ଡେପୁଟେସନରେ ଥିବା ହେତୁ ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ଭାବେ ଦାୟିତ୍ୱ ଦିଆଯାଇଥିଲା । ଡେପୁଟେସନରୁ ଫେରିବା ପରେ ଆଜି ଆନୁଷ୍ଠାନିକ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଫିସର ଅଭୟ ।