କନକ ବ୍ୟୁରୋ : ୟୁକ୍ରେନରେ ଋଷର ଆକ୍ରମଣ ଜୋରଦାର ହୋଇଛି । ଯୁଦ୍ଧ ଆଜି ନବମ ଦିନରେ ପହଞ୍ଚିଥିବାବେଳେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଏନରହୋଦର ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି. ଋଷ ଏଠାରେ ଥିବା ୟୁରୋପର ସବୁଠାରୁ ବଡ ନ୍ୟୁକ୍ଲିୟର ପାୱାର ପ୍ଲାଂଟ ଉପରେ ଆକ୍ରମଣ କରିଛି । ମୋର୍ଟାର ଓ ବୋମାମାଡ ଯୋଗୁଁ ନିଉକ୍ଲିୟର ପ୍ଲାଂଟରେ ନିଆଁ ଲାଗିଯାଇଛି । ଏଠାରେ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି । କିଛି ରିପୋର୍ଟ ଅନୁସାରେ, ପ୍ଲାଂଟ ଭିତରକୁ ଫାୟାର ଫାଇଟିଙ୍ଗ ସିଷ୍ଟମକୁ ଯିବାକୁ ଅନୁମତି ଦିଆଯାଇନାହିଁ । ଏହାପରେ ପ୍ଲାଂଟ ଭିତରେ ଧମାକା ହୋଇଛି । ଋଷ ସୈନିକ ପ୍ଲାଂଟ ଭିତରେ ପ୍ରବେଶ କରିଛନ୍ତି । ଘଟଣା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସହ କଥାବାର୍ତା କରିଛନ୍ତି । ବ୍ରିଟେନ ଜାତିସଂଘ ସୁରକ୍ଷା ପରିଷଦର ଜରୁରକାଳୀନ ବୈଠକ ଡାକିଛି । ଘଟଣା ପରେ ଅନ୍ତର୍ଜାତୀୟ ପରମାଣୁ ଏଜେନ୍ସି, ଆଇଏଇଏ ଭୟଙ୍କର ସ୍ଥିତି ଉପୁଜିପାରେ ବୋଲି ଚେତାବନୀ ଦେଇଛିା

Advertisment

କେବଳ ଏତିକି ନୁହେଁ ଋଷ ଏହି ଯୁଦ୍ଧରେ ଥର୍ମୋବେରିକ ଅସ୍ତ୍ରଶସ୍ତ୍ର ଓ କ୍ଲଷ୍ଟର ବୋମାରେ ଆକ୍ରମଣ କରୁଥିବା କୁହାଯାଉଛି । ତେବେ କ୍ଲଷ୍ଟର ବୋମା ଉପରେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିବନ୍ଧକ ଲଗାଯାଇଛି । ସେହିଭଳି ଥର୍ମୋବେରିକ ଯୁଦ୍ଧାସ୍ତ୍ର ଅଥାର୍ତ ଭ୍ୟାକୁମ ବମ୍ ମଧ୍ୟ ବେଶ ଘାତକ ଭାବେ ଜଣାଶୁଣା । ତେବେ ଏହାର ପ୍ରଭାବ କେତେ ଅଧିକ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବଙ୍କର ଯାଏଁ ମଧ୍ୟ ଏହି ବମର ପ୍ରଭାବ ଦେଖିବାକୁ ମିଳିଥାଏ । ରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ବୋମା ପଡିବା କ୍ଷଣି ବଡ ଧରଣର ବିସ୍ଫୋରଣ ହୋଇଥାଏ ଏବଂ ଏକ ପେଣ୍ଡୁ ଆକୃତିର ଏକ ସାମଗ୍ରୀକୁ ଛାଡିଥାଏ । ଏହା ଆଖପାଖର ବାୟୁମଣ୍ଡଳର ସଂସ୍ପର୍ଶରେ ଆସିବା କ୍ଷଣି ଏହି ନିଆଁ ପିଣ୍ଡୁଳାର ଆହୁରି ଉଗ୍ର ରୂପ ଦେଖିବାକୁ ମିଳିଥାଏ । ଯାହା ଯେକୌଣସି ଜୀବିତ ପ୍ରାଣୀ ଠାରୁ ବାୟୁକୁ ଶୋଷି ନେଇଥାଏ । ଯାହାର ପ୍ରଭାବ ବଙ୍କର ପର୍ଯ୍ୟନ୍ତ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ବୋମା ପଡିବା କ୍ଷଣି ଅମ୍ଲଜାନର ସାଂଘାତିକ ଅଭାବ ଦେଖିବାକୁ ମିଳିଥାଏ । ଜୀବନ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇ ପଡିଥାଏ ।

ଏହି ବୋମା ବିସ୍ଫୋରଣ ହେବା ଦ୍ୱାରା ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ । ପାକସ୍ଥଳୀରେ ସମସ୍ୟା, ନିଶ୍ୱାସ ନେବାରେ ସମସ୍ୟା, ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା, ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଥାଏ । ୧୯୭୯ରେ ଆଫଗାନିସ୍ତାନ ଉପରେ ମଧ୍ୟ ଏହି ବୋମା ପକାଇଥିଲା ।