ବର୍ଷା ବୁଡାଇଦେଲା ଚଷା ପୁଅର ବର୍ଷକର ଦାନା । ବିଲରେ ଭାସୁଛି ଧାନ । କଣ କରିବ କୃଷକ, ଚାଷୀ ଆଖିରେ ଲୁହ ।

120

କନକ ବ୍ୟୁରୋ : ବିଲରେ ଭିଜୁଛି ଚାଷୀର ପାଚିଲା ଧାନ । ଅଦିନିଆ ବର୍ଷା ପରର ଏପରି ଚିତ୍ରକୁ ନେଇ ଏବେ ଚିନ୍ତାରେ ଚାଷୀ । ଧାନ ହେଉ କି କପା ଚାଷ ଏବେ ବର୍ଷା ପାଇଁ ପ୍ରଭାବିତ ହୋଇଛି ଅମଳ । ଯଦିଓ ପାଗରେ କିଛିଟା ସୁଧାର ଆସିଛି ହେଲେ ବିଲରୁ ପାଣି କମିନି । ତେଣୁ ସରକାରୀ ସହାୟତା ଏବଂ ଫସଲର ଉଚିତ ପ୍ରାପ୍ୟ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଚାଷୀ ।

ତିନି ଦିନର ଲଗାଣ ବର୍ଷା ପରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ରାଜକନିକାରେ ବିଲରେ ଭିଜିଛି ଚାଷୀର ପାଚିଲା ଧାନ । ଫସଲ ଅମଳ ହେବା ସମୟରେ ଏପରି ସ୍ଥିତି ଦେଖି ଚାଷୀ ଏବେ ମୁଣ୍ଡରେ ହାତ ଦେଇଛି । ଫସଲ ପାଣିରେ ଭିଜି ଏବେ ଗଜା ହେବାରେ ଲାଗିଲାଣି । ଏବେ ବର୍ଷା କମିଛି, କିନ୍ତୁ ବିଲରୁ ପାଣି କମୁନି । ଆଗକୁ ପୂର୍ଣ୍ଣିମା ରହିଥିବାରୁ ପାଣି ଏବେ କମିବା ଆଶଙ୍କା କମ୍, ଆଉ ଯାହାକୁ ନେଇ ଚିନ୍ତାରେ ଚାଷୀ । ସେହିଭଳି ଗଞ୍ଜାମ ଖଲ୍ଲିକୋଟରେ ମଧ୍ୟ ସମାନ ସ୍ଥିତି । ଦାନପୁର ପଞ୍ଚାୟତ ଫାସିପଡା ଗାଁ ଦେଇ ଯାଇଥିବା ଖରଖରି ନଦୀ ବର୍ଷା ପାଣି ଯୋଗୁଁ ଏହି ପାଣି ବିଲରେ ପଶିଛି । ଯାହା ବିଲରେ କଟା ହୋଇଥିବା ଫସଲକୁ ଧୋଇ ନେଇଯାଇଛି ।

ଖାଲି ଧାନ ନୁହେଁ କପା ଚାଷ ବି ଏହି ବର୍ଷାରେ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲାର ଚାଷୀଙ୍କ କଷ୍ଟ ଅର୍ଜିତ ଫସଲ ଏବେ ମାଟିରେ ମିଶିଛି । ବର୍ଷା ମାଡରେ ଫସଲ କଳା ପଡି ସଢ଼ି ଯାଉଥିବା ବେଳେ ଫୁଲ ଛିଣ୍ଡି ତଳେ ପଡି ନଷ୍ଟ ହୋଇଯାଉଛି । ଅଦିନିଆ ବର୍ଷା ମାଡରେ କପାର ଆଦ୍ରତା କମି ଯାଇଥିବାରୁ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେବେ କପା ଚାଷୀ ।