କନକ ବ୍ୟୁରୋ : ଘରୋଇ ବସ ମାଲିକ ସଂଘ ଧର୍ମଘଟର ବଡ ପ୍ରଭାବ । ସାରା ରାଜ୍ୟରେ ଗଡୁନି ଘରୋଇ ବସ୍ । ଏହାକୁ ନେଇ ହନ୍ତସନ୍ତ ଯାତ୍ରୀ । ଦଶହରା ପର୍ବ ପୂର୍ବରୁ ବସ୍ ବନ୍ଦକୁ ନେଇ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେଉଁଠି ଘରକୁ ଯିବା ପାଇଁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି, ତ ଆଉ କେଉଁଠି ରୋଗୀ ଘରକୁ ଫେରିବା ପାଇଁ ଗାଡି ଭଡା କରି ଅଧିକ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି ।

Advertisment

ବସ୍ ଷ୍ଟାଣ୍ଡରେ ବ୍ୟାଗ୍ ଧରି ବସ୍ ଚଳାଚଳ ସ୍ୱାଭାବିକ୍ ହେବାକୁ ଅପେକ୍ଷା କରି ରହିଛନ୍ତି ଯାତ୍ରୀ । ରାସ୍ତା ଉପରେ ବି ଯାତ୍ରୀ ବସ୍ ପାଇଁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି ଘରୋଇ ବସ୍ ମାଲିକ ସଂଘ । ଜିଦରେ ଅଟଳ ରହିଛନ୍ତି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ଘରୋଇ ବସ ମାଲିକ ସଂଘ  ନିଷ୍ପତ୍ତି ନେଇଛି ।

ଘରୋଇ ବସ୍ ମାଲିକ ସଂଘ ସଫେଇ ରଖି କହିଛି, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ବୋଲି ସଂଘ ଅଭିଯୋଗ କରିଛି ।