ପେଟ ଉପରେ କରୋନା କଟକଣା ମାଡ଼ । ପେଟପାଟଣା ପାଇଁ ସଂଘର୍ଷ କରୁଛନ୍ତି ଛୋଟ ବ୍ୟବସାୟୀ, ଦୁର୍ଦ୍ଦିନରେ କଟୁଛି ଦିନ ।

141

କନକ ବ୍ୟୁରୋ : ମହାମାରୀ ମାଡରେ ମୋଡି ହୋଇଯାଇଛି ମଧ୍ୟବିତ । ଭୂତାଣୁ କେବଳ ମଣିଷ ମାରୁନି ବରଂ ଗରିବ ଲୋକର ପେଟ ବି ମାରୁଛି । ପ୍ରଥମ ଲହର ପରେ ଯେମିତି ସେମିତି କରି ନିଜକୁ ସମ୍ଭାଳି ନେଉଥିବା ଛୋଟ ବ୍ୟବସାୟୀ କରୋନାର ଦ୍ୱିତୀୟ ଲହରିରେ, ଆହୁରି ଅଧିକ ଦୁର୍ଦିନର ସାମ୍ନା କରୁଛି । ଆସନ୍ତୁ ଜାଣିବା କଟକରୁ ଆସିଥିବା ଉଠା ଦୋକାନୀ ଓ ସମ୍ବଲପୁରର ମୁକୁଟ ବ୍ୟବସାୟୀଙ୍କ କାହାଣୀ ।

ଆଶା ଥିଲା ପ୍ରଥମ ଲହର ପରେ ସ୍ଥିତି ସୁଧୁରିବ । ଲଗ୍ନ ଆସିଲେ ବର କନିଆଙ୍କ ମୁଣ୍ଡରେ ସଜେଇ ହେବ ମୁକୁଟ । ହେଲେ ଦ୍ୱିତୀୟ ଲହର ଆସିଲା, ଲକଡାଉନ ଓ ସନଡାଉନ୍ ଫେରିଲା । ପୁଣି ଠପ ହୋଇଗଲା ମୁକୁଟ ତିଆରି କୁଟୀର ଶିଳ୍ପ । ବାହାଘର ହେଲେ ମୁକୁଟ ବିକ୍ରି ହୁଏ, ନହେଲେ ନାହିଁ । କରୋନା ଓ କଟକଣା ଯୋଗୁଁ ଏବେ ଅଧିକାଂଶ ବାହାଘର ବନ୍ଦ । ଚଳିତ ବର୍ଷର ବାହାଘର ସିଜିନ୍ ବି ପ୍ରାୟ ସରିଗଲାଣି । ଏଭଳି ସ୍ଥିତିରେ ସମ୍ବଲପୁରର ମୁକୁଟ ବ୍ୟବସାୟୀ ।

କେବଳ ଦୋକାନୀ କ୍ଷତି ସହୁଛନ୍ତି ତା ନୁହେଁ । ମୁକୁଟ ତିଆରି କରୁଥିବା ଶିଳ୍ପୀ ବି ଦୁର୍ଦ୍ଦିନରେ ଅଛନ୍ତି । ମାର୍ଚ୍ଚ ମାସରୁ ପ୍ରାୟ ବାହାଘର ବନ୍ଦ ଯୋଗୁଁ ଯେଉଁ ସବୁ ମୁକୁଟ ତିଆରି ହୋଇଥିଲା ତାହା ମଧ୍ୟ ଖରାପ ହେବାକୁ ବସିଲାଣି । ପ୍ରଥମ ଲହର ପରେ କିଛି ମାସ ସ୍ୱାଭାବିକ ଚାଲିଥିଲା । ହେଲେ କରୋନା ଲେଉଟିଲା, ସମସ୍ୟା ବଢ଼ିଥିଲା ।

କଟକର ସନାତନ ତ୍ରିପାଠୀ । କଟକ ମଧୁପାଟଣା ଅଂଚଳରେ ଆମ୍ବ ବିକ୍ରି କରି ପରିବାର ଚଳାନ୍ତି । ଘରେ ୬ ଜଣ ପ୍ରାଣୀ । ଏହା ଉପରେ ପୁଣି ଝିଅର ପାଠପଢ଼ା ଏବଂ ମାଙ୍କ ଔଷଧ ଖର୍ଚ୍ଚ ଓ ଚିକିତ୍ସା । ହେଲେ ବେପାର ମାନ୍ଦା । ଲକଡାଉନ୍ ଓ ସଟଡାଉନ୍ କଟକଣା ଯୋଗୁଁ ଆମ୍ବ ବ୍ୟବସାୟ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଆଗକୁ କ’ଣ ହେବ, ତାକୁ ନେଇ ଚିନ୍ତାରେ ସନାସତ ତ୍ରିପାଠୀ ।

କରୋନା କେବଳ ମଣିଷ ମାରୁଛି ତାହା ନୁହେଁ ଭୂତାଣୁ ମଧ୍ୟବିତ ମଣିଷର ପେଟକୁ ବି ମାରୁଛି । ଆଉ ଏଭଳି ସ୍ଥିତିରେ ଛୋଟ-ଛୋଟ ବ୍ୟବସାୟ କରି ଚଳୁଥିବା ଅସହାୟ ମଣିଷ, କେବେ ଏହି ସଂକଟ ଟଳିବ ସେହି ବାଟକୁ ଚାହିଁ ରହିଛି ।