ସୁନ୍ଦରଗଡରେ ଦୃଷ୍ଟିବାଧିତ ଶିକ୍ଷୟିତ୍ରୀଙ୍କୁ ପୁଣି ଚାକିରି ଦେଲେ ସରକାର : ଦାୟିତ୍ୱ ନିର୍ବାହରେ ଅକ୍ଷମ ଦର୍ଶାଇ ତପେଶ୍ୱରୀ ପାଣ୍ଡାଙ୍କୁ ଦିଆଯାଇଥିଲା ବାଧ୍ୟତାମୂଳକ ଅବସର

କନକନ୍ୟୁଜରେ ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ

125

କନକ ବ୍ୟୁରୋ : ଖବର ବାଜିବା ପରେ ଜଣେ ଶିକ୍ଷୟିତ୍ରୀ ଚାକିରି ଫେରି ପାଇଛନ୍ତି । ସୁନ୍ଦରଗଡର ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡା, ଚାକିରିରେ ଥାଇ ଦୃଷ୍ଟିଶକ୍ତି ହରାଇବା ପରେ, ତାଙ୍କୁ ଦାୟିତ୍ୱ ନିର୍ବାହରେ ଅକ୍ଷମ ଦର୍ଶାଇ ବାଧ୍ୟତାମୂଳକ ଅବସର ଦେଇଥିଲେ ସରକାର । ଏହି ଖବର କନକ ନ୍ୟୁଜରେ ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ତାଙ୍କୁ ପୁଣିଥରେ ଚାକିରିରେ ଅବସ୍ଥାପିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ନିଜେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସୂଚନାଯୋଗ୍ୟ, ଭେଡ଼ାବାହାଲ ସ୍କୁଲରେ ଶିକ୍ଷକତା କରୁଥିବା ତପେଶ୍ବରୀଙ୍କ ୨୦୧୭ରେ ଚକ୍ଷୁ ସମସ୍ୟା ଦେଖା ଦେଇଥିଲା । ତା’ପରଠୁ ତାଙ୍କ ଜୀବନରେ ଝଡ଼ ଆସିଗଲା ଯେମିତି । ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ବ୍ୟୟବହୁଳ ଅସ୍ତ୍ରୋପଚାର କରିବା ପରେ ମଧ୍ୟ ସେ ଭଲ କରି ଦେଖି ପାରୁ ନଥିଲେ । କିନ୍ତୁ ସ୍କୁଲ ଯିବା ଦିନେ ବି ବନ୍ଦ ନଥିଲା ତାଙ୍କର । ତାଙ୍କ ନାମରେ ପରିଚାଳନା କମିଟି କି ଅଭିଭାବକଙ୍କ ପକ୍ଷରୁ ଧାଡ଼ିଟେ ବି ଅଭିଯୋଗ ନଥିଲା ।

ଏହା ସତ୍ତ୍ବେ ରାଜ୍ୟ ସରକାରଙ୍କ ବାଧ୍ୟତାମୂଳକ ଅବସର ତାଲିକାରେ ତାଙ୍କ ନାମ ଆସିଥିଲା, ଯାହାକୁ ନେଇ ସେ ଅତି ମ୍ରିୟମାଣ ହୋଇପଡ଼ିଥିଲେ । ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସରକାର ତାଙ୍କ ପ୍ରତି ନରମ ନହେବା ତାଙ୍କୁ ବ୍ୟଥିତ କରିଥିଲା । ଭିନ୍ନକ୍ଷମ ଯୋଗୁଁ, ତାଙ୍କୁ  ସ୍କୁଲ କିମ୍ବା ଶିକ୍ଷା ବିଭାଗର ଅନ୍ୟ କୌଣସି କାମରେ ନିୟୋଜିତ କରାଯାଇପାରିଥାନ୍ତା, ତେଣୁ  ସରକାର ନିଷ୍ପତ୍ତିର ପୁନଃବିଚାର କରନ୍ତୁ ବୋଲି ସେ ଆକୁଳ ଅନୁରୋଧ କରିଥିଲେ ।