କନକ ବ୍ୟୁରୋ : ସରକାର ବଦଳିବା ପରେ ଅବଢା ପ୍ରକଳ୍ପର ବିଭିନ୍ନ ଯୋଜନା ନେଇ ଅନିଶ୍ଚିତତା ଦେଖାଦେଇଛି। ୨୨ ପ୍ରକଳ୍ପରୁ ଏଯାଏଁ ଅଧାରୁ ଅଧିକ ପ୍ରକଳ୍ପ କାମ ଆରମ୍ଭ ହୋଇନାହିଁ। ତେବେ କନକ ନ୍ୟୁଜରେ ଖବର ବାଜିବା ପରେ ବିଳମ୍ବରେ ହେଲେ ବି ଚେତିଛି ଶ୍ରୀମନ୍ଦିର ପ୍ରଶାସନ। କେଉଁ ପ୍ରକଳ୍ପର କଣ ସ୍ଥିତାବସ୍ଥା ରହିଛି, ସେ ବାବଦରେ ଠିକାସଂସ୍ଥା ଓଡିଶା ସେତୁ ନିର୍ମାଣ ନିଗମ ବା ଓବିସିସିକୁ ଷ୍ଟାଟସ ରିପୋର୍ଟ ମାଗିଥିଲା ଶ୍ରୀମନ୍ଦିର ପ୍ରଶାସନ। ଆଉ ଆଜି ଓବିସିସି ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ଆଉ ରିପୋର୍ଟ ମିଳିବା ପରେ ଏହାକୁ ନେଇ ଖୁବଶୀଘ୍ର ସମୀକ୍ଷା ବୈଠକ ହେବ।
ଅବଢା ଯୋଜନା ଅନ୍ତର୍ଗତ ୪୨ଶହ କୋଟି ପ୍ରକଳ୍ପ ମଧ୍ୟର ପ୍ରମୁଖ ରହିଛି
-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ,ପ୍ରଶାସନିକ କୋଠାର ଉନ୍ନୀତକରଣ, ଶ୍ରୀସେତୁ
-ରଘୁନନ୍ଦନ ପାଠାଗାର , ମୂଷାନଈର ଉନ୍ନୀତକରଣ, ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରା କେନ୍ଦ୍ର
-ମଠ ଓ ମନ୍ଦିରର ଉନ୍ନତୀକରଣ, ବହୁତଳ ପାର୍କିଂ
ଏହି ଅଧପନ୍ତରିଆ ପ୍ରକଳ୍ପର ଭିଜନ ଏବେ ବି ଅସ୍ପଷ୍ଟ ରହିଛି। ଏ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା। ଐତିହ୍ୟ ସହରରେ ଐତିହ୍ୟକୁ ଭାଙ୍ଗି ପ୍ରକଳ୍ପର ରୂପରେଖ ତିଆରି କରିଥିଲେ ତତକାଳୀନ ସରକାର। ଏବେ ପାଣି ଭଳି ଟଙ୍କା ଖର୍ଚ୍ଚ ପରେ ବି ସୁଧୁରିନି ସ୍ଥିତି। ୪୨ ଶହ କୋଟି ଟଙ୍କାରେ ଅବଢା ପ୍ରକଳ୍ପର ବ୍ୟୟବରାଦ ହୋଇଥିଲା। ୧୯ ମଠ ଓ ରଘୁନନ୍ଦନ ଲାଇବ୍ରେରୀକୁ ଭଙ୍ଗାଯାଇଥିଲା। ଆଉ ଏହା ଏବେ ଅଧପନ୍ତରିଆ ହୋଇ ପଡିରହିଛି। ଆଉ ଏହାକୁ ନେଇ ଚିନ୍ତା ବି ପ୍ରକାଶ ପାଇଛି।
ଅବଢା ଯୋଜନା ପାଇଁ ତତକାଳୀନ ସରକାର ତରବରିଆ ଭାବେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ। ଆଉ ଫଳସ୍ୱରୂପ ଅନିଶ୍ଚିତତା ଭିତରେ ରାହା ଖୋଜୁଛି ୨୨ ପ୍ରକଳ୍ପ।