କନକ ବ୍ୟୁରୋ: କନକ ନ୍ୟୁଜର ମହାପ୍ରଭାବ । ଶେଷର ଭାଙ୍ଗିଲା ପୋଲିସ ପ୍ରଶାସନର ନିଦ, ବଦଳିଲେ ଗୁଣ୍ଡାଗର୍ଦ୍ଦି କରୁଥିବା ପୋଲିସ ବାବୁ । ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଡିଏସପି ଇନଚାର୍ଜ ମାର୍ଶାଘାଇ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ ବଦଳି କରାଯାଇଛି । ଦବଙ୍ଗ ପୋଲିସ ବାବୁ ଜଣକ ମାର୍ଶାଘାଇ ଥାନାକୁ ମାଡ଼ମରା ଥାନା କରିଦେଇଥିବା ଅଭିଯୋଗର ତାଲିକା ଲମ୍ବିବା ପରେ ଶେଷରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏବେ ତାଙ୍କ ବଦଳି ପରେ ମାର୍ଶାଘାଇ ଥାନାର ନୂଆ ଆଇଆଇସି ଭାବେ ପ୍ରଜ୍ଞାପାରମିତା ଜେନାଙ୍କୁ ନିଯୁକ୍ତ କରାଯାଇଛି ।
ଗତ ସପ୍ତାହେ ଧରି ଏହି ଗୁଣ୍ଡା ପୋଲିସ ସାଜିଥିବା ଜ୍ୟୋତିରଞ୍ଜନଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିଥିଲା । କାହାକୁ ପାରାଲିଶିସ୍, କାହାକୁ ଗୁରୁତର କରି ହସ୍ପିଟାଲ ପଠାଇବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା । ଯାହାକୁ ନେଇ କନକ ନ୍ୟୁଜ ବାରମ୍ବାର ଲୋକ ଲୋଚନକୁ ଆଣିଥିଲା । ଜ୍ୟୋତିରଞ୍ଜନଙ୍କ ଅମାନୁଷିକତାର ପ୍ରତିଟି ଘଟଣାକୁ ସୋସିଆଲ ମିଡ଼ିଆଠୁ ଆରମ୍ଭ କରି ଆଇନଜୀବି ଓ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ଏବେ ବି ପ୍ରଶ୍ନ ଉଠୁଛି, ଡିଏସପି ଭାବେ ପଦୋନ୍ନତି ପାଇଥିବା ଜ୍ୟୋତିରଞ୍ଜନ ମାର୍ଶାଘାଇ ଥାନାରେ କାହିଁକି ଏତେଦିନ ଇନଚାର୍ଜରେ ଥିଲେ? ଯଦି ଥିଲେ ତେବେ ହିଟଲର ଶାସନ ଭଳି ବାଡେଇବାକୁ ଅଧିକାର ତାଙ୍କୁ ଦେଲା କିଏ? ଏବେ ଯଦି ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଗଲା ତା’ ହେଲେ ପରୋକ୍ଷରେ ତାଙ୍କର ଦୋଷ ସ୍ୱୀକାର କଲା ପୋଲିସ ପ୍ରଶାସନ । କିନ୍ତୁ ପୁଣି ତାଙ୍କୁ ଘଣ୍ଟ ଘୋଡ଼ାଇ ନିଲମ୍ବନ ନକରି ସେହି କେନ୍ଦ୍ରାପଡ଼ାରେ ହିଁ ଥଇଥାନ କାହିଁକି କରାଗଲା ଏନେଇ ବଡ଼ ପ୍ରଶ୍ନ ଉଠିଛି?