ସ୍ୱାଭିମାନ ଅଞ୍ଚଳରେ କିଏ କରିଛି ପାଇଖାନା ଚୋରି ? କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ଆରମ୍ଭ ହେଲା ସରଜମିନ ତଦନ୍ତ ।

479

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳରେ ପାଇଖାନା ମହାଦୁର୍ନୀତି । ଖବର ପ୍ରସାରଣ ପରେ ଚେତିଲା ଜିଲ୍ଲା ପ୍ରଶାସନ । ସ୍ୱାଭିମାନ ଅଂଚଳର ୯ ଟି ପଂଚାୟତରେ କେବଳ କାଗଜପତ୍ର ରେ ୪୦୫୪ଟି ପାଇଖାନା ନିର୍ମାଣ କାମ ସାରିଥିବା ନେଇ କନକ ନ୍ୟୁଜ ଖବର ପ୍ରସାରଣ କରିବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ଉପ ଜିଲ୍ଲାପାଳ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକଙ୍କୁ ନେଇ ଏକ ଟିମ ଗଠନ କରାଯାଇ ସ୍ୱାଭିମାନ ଅଂଚଳର ବିଭିନ୍ନ ଗାଁରେ ସରଜମିନ ତଦନ୍ତ ଆରମ୍ଭ କରିଛି ପ୍ରଶାସନ ।

ଯୋଡାମ୍ବ ଗାଁ ରେ ମଧ୍ୟ ସମସ୍ତ ଗ୍ରାମବାସୀଙ୍କ ପାଇଖାନା ନିର୍ମାଣ କାମ ସରିଥିବା ନେଇ ସରକାରୀ ରିପୋର୍ଟ କହୁଥିବା ବେଳେ ତଦନ୍ତ ଟିମର ଗସ୍ତ ସମୟରେ ପାଇଖାନା ନିର୍ମାଣ କାମ ଚାଲୁଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରାଶାସନର ଗସ୍ତକୁ ଦୃଷ୍ଟିରେ ରଖି ମରାମତି କାମକୁ ଯୋର ସୋରରେ ଜାରି ରହିଥିବା ବେଳେ ହିତାଧିକାରୀଙ୍କ ବୟାନ ରୋକର୍ଡ କରିଛି ଟିମ । କେବଳ ପାଇଖାନା ନୁହଁ, ସ୍ୱାଭିମାନ ଅଂଚଳର ଅଧିକାଂଶ କାମ କାଗଜ କଲମରେ ଚାଲୁଥିବା ନେଇ ଅଭିଯୋଗ କରିଛନ୍ତି ଅଂଚଳ ବାସିନ୍ଦା ।

ପ୍ରଥମ କରି ଯୋଡ଼ାମ୍ବ ଗସ୍ତ କରି ଲୋକଙ୍କ ସୁଖ ଦୁଃଖ ପଚାରି ବୁଝିବା ସମୟରେରେ ସ୍ୱଚ୍ଛ ଭାରତ ମିଶନର ସ୍ୱଚ୍ଛତାକୁ ଜଳ ଜଳ ଭାବେ ଦେଖିବାକୁ ପାଇଥିଲେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ଜିଲ୍ଲାପାଳଙ୍କ ଗସ୍ତ ଆଗରୁ କେଉଁଠି ଟିଣ ବନ୍ଧା ହୋଇଥିଲା ତ କେଉଁଠି ପ୍ୟାନ ବସାଯାଇଥିବା ଦେଖିବାକୁ ମିଳିଥିଲା । ପାଇଖାନା ନିର୍ମାଣ କାମରେ ସ୍ୱାଭିମାନ ଅଂଚଳବାସୀଙ୍କୁ ଆଖିରେ ଧୁଳି ଦେଇ କିପରି ଟଙ୍କା ହରି ଲୁଟ ହୋଇଛି, ସେ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ଗ୍ରାମବାସୀ । ଚିତ୍ରକୋଣ୍ଡା ବ୍ଲକର କିଛି ବରିଷ୍ଠ ଅଧିକାରୀ, ଠିକାଦାରଙ୍କ ସହ ମିଳିମିଶି ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ପ୍ରଶାସନର ତଦନ୍ତ ରିପୋର୍ଟ ଉପରେ ରହିଛି ସମସ୍ତଙ୍କ ନଜର ।