ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନର ସାଂଘାତିକ୍ ପ୍ରଭାବ ! ଜଳିଗଲା ଘର, ପହଞ୍ଚିଲେନି ଅଗ୍ନିଶମ କର୍ମଚାରୀ, ଚାହୁଁ ଚାହୁଁ ଚାଲିଗଲା କୁନି ପିଲାର ଜୀବନ ।

24

କନକ ବ୍ୟୁରୋ : ୬ ଦଫା ଦାବି ନେଇ ଦୁଇ ଦିନ ହେଲା ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଗ୍ନିଶମ କର୍ମଚାରୀ । ଯାହା ଫଳରେ ରାଜ୍ୟର ସବୁ ଫାୟାର ଷ୍ଟେସନ୍ ଠପ୍ ହୋଇଯାଇଛି । ହେଲେ ଏହି ଆନ୍ଦୋଳନର ପ୍ରଭାବ ଏଭଳି ଭାବରେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବିବ୍ରତ କରି ଦେଉଛି । ଅଗ୍ନିଶମ କର୍ମଚାରୀ ପହଂଚି ନପାରିବାରୁ କେଉଁଠି ମା’ ଛୁଆକୁ ହରାଇଛି, ତ ଆଉ କେଉଁଠି, ନିଆଁରେ ପୋଡ଼ିଜଳି ସବୁ କିଛି ଛାରଖାର ହୋଇଯାଇଛି । ଅଗ୍ନିଶମ ଭଳି ଜରୁରୀକାଳୀନ ସେବା ଯେତେବେଳେ ସଂପୂର୍ଣ୍ଣ ଠପ୍ ହୋଇଯାଏ, କେତେ ବଡ ସମସ୍ୟା, ସାମ୍ନାକୁ ଆସେ ତାହା ଏହି ରିପୋର୍ଟ ହିଁ ପ୍ରକାଶ କରୁଛି ।

କୁନି ପିଲାଟିର ହସ ହସ ମୁହଁକୁ ଚାହିଁ, ସବୁ ଦୁଃଖକୁ ଭୁଲି ଯାଉଥିଲେ ପରିବାର ଲୋକ । ହେଲେ ଏଇ ହସ ଆଜି ସବୁଦିନ ପାଇଁ ଲିଭି ଯାଇଛି । ମାତ୍ର ୩ବର୍ଷର ପ୍ରତୀଶ ମହାକୁଡ ଆଉ ଏ ଦୁନିଆରେ ନାହିଁ । ହୁଏତ, ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ବଳି ପଡିଯାଇଛି ଏଇ ନିରୀହ ଶିଶୁ । ଆଉ ଖାଲି ହୋଇଛି ଜଣେ ମା’ର କୋଳ ।
ତାରିଖ : ୨୪.୦୯.୧୮ । ସମୟ : ଅପରାହ୍ନ ୪ଟା । ମୟୁରଭଞ୍ଜ ଜିଲ୍ଲା ଡାକୋଇ ଗାଁର ପ୍ରତୀଶ ଖେଳୁଥିବା ବେଳେ ଅଚାନକ୍ ଘର ପାଖରେ ଥିବା ଏକ କୂଅରେ ପଡି ଯାଇଥିଲା । ପିଲାଟି କୁଅରେ ପଡ଼ିଥିବା ଜାଣିବା ମାତ୍ରେ ଗାଁ ଲୋକ ଉଦ୍ଧାର ପାଇଁ ବହୁତ ଚେଷ୍ଟା କରିଥିଲେ । ହେଲେ ସମ୍ଭବ ନହେବାରୁ ଅଗ୍ନିଶମ କାର୍ଯ୍ୟାଳୟକୁ ଫୋନ୍ କରିଥିଲେ । ହେଲେ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବାରୁ କେହିବି ଆସିବାକୁ ମଙ୍ଗି ନଥିଲେ । ହୁଏତ, ନିକଟରେ ଥିବା ଅଗ୍ନିଶମ କର୍ମଚାରୀ ପହଂଚିଥିଲେ ପିଲାଟି ବଂଚିଯାଇଥାନ୍ତା ।

ଜରୁରୀକାଳୀନ ସେବା ଯେତେବେଳେ ଠପ୍ ହୋଇଯାଏ, କେତେ ବଡ ସଂକଟ ଆସିପାରେ ମୟୁରଭଞ୍ଜର ଏହି ଘଟଣାରୁ ସ୍ପଷ୍ଟ ହେଉଥିବା ବେଳେ ନୟାଗଡ଼ରୁ ଆସିଥିବା ଚିତ୍ର ସମସ୍ତଙ୍କୁ ବିଚଳିତ କରିଦେଉଛି । ଦଶପଲ୍ଲା ସହରଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଶ୍ରୀରାମପୁର ଗାଁରେ କାଲି ରାତିରେ ନିଆଁ ଲାଗିବାରୁ ଛାରଖାର ହୋଇଯାଇଛି ସବୁ କିଛି । ରାତି ପ୍ରାୟ ୧୨ଟା, ଅଚାନକ୍ ଗାଁର ଦୁଲୁ ସାହୁଙ୍କ ଘରେ ନିଆଁ ଲାଗିଗଲା । ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା ନିଆଁ । ନିଆଁରେ ପୋଡ଼ି ପାଉଁଶ ହୋଇଗଲା ୮ଟି ପରିବାରର ସବୁ କିଛି । ହେଲେ ନିଆଁକୁ ଆୟତ କରିବାକୁ ପହଂଚିଲେନି ଅଗ୍ନିଶମ କର୍ମଚାରୀ । ଆଉ ଏଠି ବି ଥିଲା ସେଇ ଗୋଟିଏ ଉତ୍ତର, ଆନ୍ଦୋଳନ ଚାଲିଛି, ଯାଇହେବନି ।

ବାଲେଶ୍ୱର ଜିଲ୍ଲା ସିମୁଳିଆ ଛକରେ ବି ଗୋଟିଏ କୁକୁଡା ଦୋକାନରେ ନିଆଁ ଲାଗିବା ଯୋଗୁଁ ଉଜୁଡି ଯାଇଛି ଜଣେ ବ୍ୟବସାୟୀର ଜୀବନ ଯାକର ପୁଂଜି । ନିଆଁ ଲାଗି ଦୋକାନରେ ହିଁ ପୋଡ଼ି ଯାଇଛନ୍ତି ଶତାଧିକ କୁକୁଡ଼ା । ହେଲେ ଏପଟେ ନିଜର ହକ୍ ଦାବିରେ ଚାଲିଛି ଆନ୍ଦୋଳନ । ୬ ଦଫା ଦାବି ନେଇ ଅଗ୍ନିଶମ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବାରୁ ରାଜ୍ୟର ସବୁ ଫାୟାର ଷ୍ଟେସନ୍ ଠପ୍ ହୋଇଯାଇଛି । ଆଉ ଯାହାର ପ୍ରତିଫଳନ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିବାରେ ଲାଗିଛି ।

ଆନ୍ଦୋଳନ କରିବାର ସମସ୍ତଙ୍କର ଅଧିକାର ଅଛି, ହେଲେ ଏଠି ପ୍ରଶ୍ନ ଉଠୁଛି-

– ଅଧିକାର ସାବ୍ୟସ୍ତ ପାଇଁ କ’ଣ ସର୍ବସାଧାରଣଙ୍କ ଜୀବନକୁ ବିପନ୍ନ କରାଯାଇ ପାରିବ ?

– ଜରୁରୀକାଳୀନ ସେବାକୁ ସଂପୂର୍ଣ୍ଣ ଠପ୍ କରିଦେବା କେତେ ଯୁକ୍ତିଯୁକ୍ତ ?

– ବ୍ୟବସ୍ଥାକୁ ସଂପୂର୍ଣ୍ଣ ଠପ୍ କରିବା ପୂର୍ବରୁ କୌଣସି ବିକଳ୍ପ ବ୍ୟବସ୍ଥାର ଚିନ୍ତା କରାଯାଇଛି କି ?