ବୈଜୟନ୍ତଙ୍କୁ କ୍ଲିନଚିଟ ପରେ… କେଉଁ ମୋଡ ନେବ ହେଲିକପଟର ରାଜନୀତି?

54

ବୈଜୟନ୍ତ ପଣ୍ଡାଙ୍କ ହେଲିକପଟରକୁ ନେଇ ପ୍ରାୟ ଦେଢ ମାସଧରି ଉଷ୍ମ ରହିଲା ରାଜନୈତିକ ବାତାବରଣ । ହ୍ୟାଙ୍ଗର ସିଜ୍ ଠାରୁ ଆରମ୍ଭ କରି ଡିଜିସିଏଙ୍କ କ୍ଲିନଚିଟ ପର୍ଯ୍ୟନ୍ତ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା । ହେଲେ ଏବେ କଣ?
୨୦୧୯ ନିର୍ବାଚନ ପୂର୍ବରୁ ହେଲିକପଟର ସିଜର ଏକ ପ୍ରଭାବ ଦେଖିବାକୁ ମିଳିବ କି? ଡିଜିସିଏର କ୍ଲିନଚିଟ ପରେ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି, ତାକୁ ଦେଖି ଏଭଳି ଆକଳନ କରାଯାଇପାରେ । ମାମଲା, ରାଜ୍ୟ ସରକାରଙ୍କୁ ବ୍ୟାକଫୁଟକୁ ଠେଲିବ କି? ରାଜ୍ୟ ସରକାର ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିଲେ କି? ଏହି ଦିଗକୁ ନେଇ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

baijayanta
ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଯଦି ଡିଜିସିଏ କ୍ଲିନଚିଟ ଦେଇଛନ୍ତି, ଆଉ କୈାଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ । ଏକାର୍ଯ୍ୟ ମଧ୍ୟ ପୂର୍ବରୁ କରାଯାଇ ପାରିଥାନ୍ତା । ରାଜନୈତିକ ଷଡଯନ୍ତ୍ର ରହିଥାଇପାରେ । ଅଯଥା କାହାକୁ ହଇରାଣ ହରକତ କରିବା ଉଚିତ ନୁହଁ । ସରକାରଙ୍କ ପକ୍ଷରେ ଏହା ଶୋଭନୀୟ ନୁହେଁ । ଏହା ଅସୁନ୍ଦର ଦେଖାଯାଉଛି ।


ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସରକାରଙ୍କ ଭୁଲ ପଦକ୍ଷେପକୁ ଯେତେବେଳେ ସମାଲୋଚନା କରାଯାଉଛି, ସେତେବେଳେ ସରକାର ଅତ୍ୟନ୍ତ ପ୍ରତିହିଂସା ପରାୟଣ ହୋଇ ଯେଉଁଭଳି ଆଚରଣ ଦେଖାଉଛନ୍ତି, ଏହା ତାର ଏକ ନିଦର୍ଶନ । ଡିଜିସିଏ ତାର ରିପୋର୍ଟ ଦେଇସାରିବା ପରେ ରାଜ୍ୟ ସରକାରଙ୍କ ପାଖରେ ଆଉ କଣ ନୈତିକତା ଅଛି, ରାଜ୍ୟ ସରକାର କେଉଁ ଆଧାରରେ ଏହି ପଦକ୍ଷେପ ନେଇଥିଲେ, ତାହା ଆଜି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସରକାର ସ୍ପଷ୍ଟୀକରଣ ଦିଅନ୍ତୁ, ଏବଂ ନିଜର ଆଚରଣକୁ ତୁରନ୍ତ ସୁଧାରିବା ପାଇଁ ଉଦ୍ୟମ କରନ୍ତୁ ।

ବିରୋଧୀଙ୍କ ଶାଣିତ ଆକ୍ରମଣ ଭିତରେ ସରକାର କଣ ଆଭିମୁଖ୍ୟ ପୋଷଣ କରୁଛନ୍ତି ତାଉପରେ ନଜର ଥିବା ବେଳେ ବିଜୁ ଜନତା ଦଳ ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି, ଆଇନ ତା ବାଟରେ ଯିବ । ଉଲ୍ଲଂଘନ ହୋଇଥିଲେ ଆଇନ ଅନୁଯାୟୀ ପଦକ୍ଷେପ ଉଲ୍ଲଂଘନ ହୋଇନଥିଲେ ମଧ୍ୟ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ।


୩ ହେଲିକପଟର ପ୍ରାୟ ୪୫ ଦିନ ଧରି ହ୍ୟାଙ୍ଗର ଭିତରେ ରହିବା ପରେ ଯେତେବେଳେ ଡିଜିସିଏ କ୍ଲିନଚିଟ ଦେଇଛନ୍ତି, ଠିକ ସେତିକିବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବୈଜୟନ୍ତ ପଣ୍ଡା । ଟ୍ୱିଟ୍ କରି କହିଛନ୍ତି ସତ୍ୟମେବ ଜୟତେ । ରାଜ୍ୟ ସରକାର ଆଣିଥିବା ମିଥ୍ୟା ଅଭିଯୋଗ ଉପରେ ଡିଜିସିଏ କ୍ଲିନଚିଟ ଦେଇ ସାରିଛନ୍ତି ।


ବିଜେଡିରୁ ଇସ୍ତଫା ଦେବା ପରେ ଲଗାତର ଭାବେ ବୈଜୟନ୍ତ ବିଜେଡିର କାର୍ଯ୍ୟଶୈଳୀ ଆଉ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ହେଲିକପଟର ସିଜ୍ ମାମଲା ପ୍ରସଙ୍ଗକୁ ଆହୁରି ସରଗରମ କରିଥିଲା । ୨୦୧୯ ନିର୍ବାଚନ ବେଳକୁ ଏହା କେଉଁ ମୋଡ ନେଉଛି କିମ୍ବା ଏହା ରାଜନୈତିକ ଦୃଶ୍ୟପଟ୍ଟରେ କଣ ପ୍ରଭାବ ଛାଡୁଛି, ତା’ଉପରେ ନଜର ।