ଦୁର୍ବଳ ହେଲା ୟାସ୍ : ଅବପାତରେ ପରିଣତ ହୋଇ ଝାଡ଼ଖଣ୍ଡ ଆଡକୁ ମୁହାଁଇଲା ବାତ୍ୟା; ଆଜି ସୁନ୍ଦରଗଡ଼ ଓ ଦେଓଗଡ଼ ଜିଲ୍ଲାରେ ବର୍ଷା ସମ୍ଭାବନା

287

କନକ ବ୍ୟୁରୋ : ଦୁର୍ବଳ ହେବାରେ ଲାଗିଛି ବାତ୍ୟା ୟାସ୍ । ଅତି ଭୀଷଣ ସାମୁଦ୍ରିକ ଝଡ଼ରୁ ଭୀଷଣ ସାମୁଦ୍ରିକ ଝଡ଼ ଓ ପରେ ଗଭୀର ଅବପାତରେ ପରିଣତ ହେଉଛି । ଆଜି ସକାଳେ ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ବାଲେଶ୍ୱରରୁ ମୟୁରଭଂଜ ଦେଇ ଝାଡ଼ଖଣ୍ଡ ମୁହାଁ ହୋଇଛି ବାତ୍ୟା । ଏହାର ପ୍ରଭାବରେ ସୁନ୍ଦରଗଡ ଓ ଦେଓଗଡ଼ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ବାତ୍ୟା ୟାସ୍ ଯୋଗୁଁ ଓଡ଼ିଶାରେ କ୍ଷୟକ୍ଷତି ହୋଇଛି ସତ, ତେବେ ଓଡ଼ିଶା ପାଇଁ ଟଳି ଯାଇଛି ଏକ ବଡ଼ ବିପଦ । ବାତ୍ୟାର ପ୍ରଭାବରେ ଧନଜୀବନହାନୀର ଯେତେ ବଡ଼ ଆଶଙ୍କା କରାଯାଉଥିଲା, ସୌଭାଗ୍ୟ ବଶତଃ ସେତେ ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ ।

ବାତ୍ୟା ପୂର୍ବରୁ ପ୍ରଶାସନର ସତର୍କତା ଏବଂ ଜନସାଧାରଣଙ୍କ ସଚେତନା, ୟାସ୍ ଭଳି ଏକ ବଡ଼ ବିପର୍ଯ୍ୟୟର ମୁକାବିଲା କରିବାରେ ସହାୟକ ହୋଇଛି । ବାତ୍ୟା ଚାଲିଯାଇଛି, ଆଉ ବାତ୍ୟା ଆଶ୍ରୟସ୍ଥଳୀରୁ ଘର ମୁହାଁ ହେଉଛନ୍ତି ବାତ୍ୟା ପ୍ରଭାବିତ ଲୋକେ ।ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବିଶେଷ କ୍ଷୟକ୍ଷତି ହୋଇଥିବା ନଥିବା ବେଳେ କିଛି ସ୍ଥାନରେ ଉପୁଡି ପଡିଛି । ଆଉ ଏହାକୁ ସଫା କରି ଯାତାୟତ ସ୍ୱାଭାବିକ୍ କରିବା ପାଇଁ ଉଦ୍ୟମ ଜାରି ରହିଛି । ଭଦ୍ରକ ଓ ବାଲେଶ୍ୱରରେ ୟାସ୍ର ପ୍ରଭାବ ବେଶି ଅନୁଭତ ହୋଇଥିବା ବେଳେ ପବନ କମିଥିବାରୁ ପୁନରୁଦ୍ଧାର କାମ ଆରମ୍ଭ ହୋଇଛି ।

ବାଲେଶ୍ୱରରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଘସିପୁରାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏପଟେ ବାତ୍ୟା ବିପଦ ଟଳିଯିବା ପରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଟିମ୍ ରାସ୍ତା ସଫା କାମରେ ଲାଗିଛନ୍ତି ।ଏତେ ବଡ଼ ବାତ୍ୟାରେ ହୁଏତ, ଧନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇନାହିଁ । କିନ୍ତୁ ବାତ୍ୟା ପ୍ରଭାବିତ ଅଂଚଳରେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଛି । କାରଣ, ବହୁ ଗାଁରେ ପାଣି ପଶିଛି । ବାହାନଗା, ରେମୁଣା, ବାଲେଶ୍ୱର ସଦର, ଧାମରାରେ ପଶିଛି ପାଣି ।