ବାତ୍ୟା ଚାଲିଗଲା, ଦୁର୍ଦ୍ଦଶା ଛାଡିଗଲା । ଭାଙ୍ଗି ଯାଇଛି ଘର, ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ଆଦିବାସୀ ପରିବାର ।

112

କନକ ବ୍ୟୁରୋ : ଚାଲିଯାଇଛି ବାତ୍ୟା, ଛାଡିଯାଇଛି ଦୁର୍ଦ୍ଦଶା । ଆଦିବାସୀ ଅଞ୍ଚଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳୁଛି । ନାଁ ମୁଣ୍ଡ ଗୁଞ୍ଜିବାକୁ ଛପର ଅଛି, ନା କିଛି ଅଛି ଖାଇବାକୁ । ମାଲକାନଗିରି ଜିଲ୍ଲା ଖଇରପୁଟ ଅଞ୍ଚଳରେ ବାତ୍ୟା ଗୁଲାବ ଗରିବଙ୍କ ଦୁଃଖ ବଢାଇ ଦେଇଛି । ଅସହାୟ ପଣରେ ବାନ୍ଧି ହୋଇପଡିଛନ୍ତି କ୍ଷତିଗ୍ରସ୍ତ ପରିବାର । ଖାଲି ପଲିଥିନ ଖଣ୍ଡେ ଦେଇ ନିଜ କାମ ସାରିଦେଇଛି ପ୍ରଶାସନ । ବାତ୍ୟା ଗୁଲାବ ପରର ବିକଳ ଚିତ୍ର ଦୁଃଖ ଆଣିଦେଇଛି ।

ବାତ୍ୟା ପରର ବିକଳ ଚିତ୍ର । ଦୁର୍ଦ୍ଦଶା ବଢାଇଛି ଗୁଲାବ । ଗରିବଙ୍କ ଉପରେ ବାତ୍ୟା ଗୁଲାବର ମାଡ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରେ ବାତ୍ୟା ପ୍ରଭାବରେ ଭାଙ୍ଗି ଯାଇଛି ଘର, ଘରର ଆସବାବପତ୍ର ମାଟିରେ ମିଶି ଯାଇଛି । ଖାଇବାକୁ କିଛି ନାହିଁ । ମାଟି ମିଶା ଚାଉଳକୁ ବାଛୁଛନ୍ତି ଆଦିବାସୀ ମହିଳା । ଗୁଲାବ ଯିବା ପରେ ୨ ପିଲାଙ୍କୁ ନେଇ କେଉଁଠି ରହିବେ ତାକୁ ନେଇ ଚିନ୍ତାରେ ସନା ମାଝି ।

ପୋଡାଘାଟା ପଞ୍ଚାୟତରେ କ୍ଷତିଗ୍ରସ୍ତ ହୋଇଛନ୍ତି ଆଦିବାସୀ ପରିବାର । ସନା ମାଝିଙ୍କ ଭଳି ଅନେକ ପରିବାର ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି । ଘର ଉପରେ ଗଛ ପଡି ଭାଙ୍ଗିଯାଇଛି । ଏଭଳି ସ୍ଥିତିରେ ବିପନ୍ନଙ୍କୁ ଖଣ୍ଡିଏ ପଲିଥିନ ଯୋଗାଇ କାମ ସାରିଦେଇଛି ପ୍ରଶାସନ । ଏପଟେ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ କୋରାପୁଟ ସୁଙ୍କି ଘାଟି ରାସ୍ତାରୁ ହଟିଛି ମାଟି ।

ଅବରୋଧ ହଟିବା ପରେ ସ୍ୱାଭାବିକ ହୋଇଛି ଗାଡି ଚଳାଚଳ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଏନଡିଆରଏଫ ଟିମ୍ ରାସ୍ତା ସଫା କରିବା ପରେ ଘାଟି ଉପରେ ଅଟକିଥିବା ଗାଡି ଚଳାଚଳ କରିଛି । ଆନ୍ଧ୍ର-ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ପୁଣି ଆରମ୍ଭ ହୋଇଛି । ବାତ୍ୟା ଗୁଲାବ ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ ପାହାଡ ଉପରୁ ମାଟି ଅତଡା ଧସିଥିଲା । ସୁଙ୍କି ଘାଟି ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା ଶହ ଶହ ଗାଡ଼ି ।