କେନ୍ଦ୍ର ବଜେଟରେ କ୍ଷତି ସହିବ ଓଡିଶା : କେନ୍ଦ୍ରୀୟ ଟିକସରେ ଅଂଶ କମିବା ଯୋଗୁଁ ୧୦ ହଜାର ୮୪୦ କୋଟିର ପଡିବ ବୋଝ

 ଆସନ୍ତା ବର୍ଷ ଆକଳନ ଠାରୁ ପ୍ରାୟ ୩ହଜାର କୋଟି କମ୍ ପାଇବ ରାଜ୍ୟ; ବନ୍ଦ ହୋଇଗଲା ଆଇସିବିଏସ ଯୋଜନା

205

କନକ ବ୍ୟୁରୋ : ସଂସଦରେ ବଜେଟ ଆଗତ କରି ସାରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ । ବଜେଟ୍ରୁ କାହାକୁ କ’ଣ ମିଳିଲା ତାକୁ ନେଇ ସମୀକ୍ଷା ଆରମ୍ଭ ହୋଇଯାଇଛି । ସରକାର ଏହାକୁ ଐତିହାସିକ ବଜେଟ୍ କହୁଥିବା ବେଳେ ନିନ୍ଦା କରୁଛନ୍ତି ବିରୋଧୀ । ଟିକସ ରିହାତିରେ କୌଣସି ପରିବର୍ତନ ହୋଇନଥିବା ବେଳେ ସାମାଜିକ କଲ୍ୟାଣ କ୍ଷେତ୍ରକୁ ବିଶେଷ ଅନୁଦାନ ଘୋଷଣା ହୋଇନାହିଁ । ତେଣୁ ବଜେଟରେ ମଧ୍ୟବିତଙ୍କୁ କିଛି ମଳିିଲା ନାହିଁ ବୋଲି ଚର୍ଚ୍ଚା ହେଉଛି । ଚଳିତ ବର୍ଷ କେନ୍ଦ୍ରୀୟ ଟିକସରେ ଅଂଶ ପ୍ରାୟ ୧୦,୮୪୦ କୋଟି ଟଙ୍କା ହ୍ରାସ ପାଇଛି । ରାଜ୍ୟ ଆଶା କରୁଥିଲା ଆସନ୍ତାବର୍ଷ ୩୩ହଜାର କୋଟି ଟଙ୍କା କେନ୍ଦ୍ରୀୟ ସୂତ୍ରରୁ ମିଳିବ। କିନ୍ତୁ ବଜେଟ୍ ଦେଖିବା ପରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଯେଉଁ ହିସାବନିକାସ କରିଛି, ତାହା ସୂଚାଇ ଦେଲାଣି, ଏହି ଅର୍ଥ ରାଶି ୩୦ ହଜାର କୋଟି ଟଙ୍କା ଟପିବ ନାହିଁ ।

କେବଳ ସେତିକି ନୁହେଁ, ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଓ କେନ୍ଦ୍ର ସରକାରଙ୍କ ବଜେଟ୍‌ରୁ ଅର୍ଥନୀତିଜ୍ଞମାନଙ୍କୁ ଆଉ ଗୋଟିଏ ସାଂଘାତିକ ସଙ୍କେତ ମିଳୁଛି। ତାହା ହେଲା, କ୍ରମାଗତ ଭାବେ ଅର୍ଥ କମିସନଙ୍କ ସୁପାରିସରେ ରାଜ୍ୟର କ୍ଷମତାକୁ ଧୀରେ ଧୀରେ ସଙ୍କୁଚିତ କରିଦିଆଯାଉଛି। ଏଥର କମିସନ ଆଉ ପାଦେ ଆଗକୁ ଯାଇ ପୌରସଂସ୍ଥା ଓ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ୪୦ ପ୍ରତିଶତ ଅର୍ଥ ଅନାବଦ୍ଧ ପାଣ୍ଠି ଭାବେ ଖର୍ଚ୍ଚ କରିବାର ସୁଯୋଗ ରଖିଛନ୍ତି । ଅର୍ଥାତ୍ ଏକ ବଡ଼ ପରିମାଣର ଖର୍ଚ୍ଚ କିଭଳି ହେବ, ସେ ନିଷ୍ପତ୍ତି ନିଆସରିଛି ।

ଅନ୍ୟ ଦିଗଟି ହେଲା, ୨୦୧୧ ମସିହାଠାରୁ ଅର୍ଥନୀତି ପରିଚାଳନାରେ ସୁଧାର ଆସିବା ଓ ଓଡ଼ିଶା ବଳକା ରାଜ୍ୟ ଭାବେ ପରିଗଣିତ ହେବା ପରିପ୍ରେକ୍ଷୀରେ ରାଜ୍ୟ ସ୍ବତନ୍ତ୍ର ଅନୁଦାନ ହରାଉଛି । ଅନେକ ରାଜ୍ୟ ଏ ବାବଦରେ ଏକ ବଡ଼ ଅର୍ଥ ରାଶି ପାଉଛନ୍ତି । ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି, କେନ୍ଦ୍ରୀୟ ବଜେଟ୍‌ରେ ପୁଞ୍ଜି ଖର୍ଚ୍ଚ ଉପରେ ଗୁରୁତ୍ବ ଦିଆଯାଇଥିଲେ ହେଁ, ଓଡ଼ିଶା ଏଥିରୁ କେତେ ଲାଭ ପାଇବ, ତାହା ଏବେ ଠାରୁ ଆକଳନ କରିବା ମୁସ୍କିଲ୍ । କିନ୍ତୁ ରାଜ୍ୟର ଗରିବ ଲୋକଙ୍କ ହାତକୁ ପଇସା ଯିବା ଲାଗି ଏହି ବଜେଟ୍‌ରେ ବିଶେଷ କୌଣସି ସୁଯୋଗ ନାହିଁ। କରୋନା ପରବର୍ତ୍ତୀ ପରିସ୍ଥିତିରେ ଏହାର ଆବଶ୍ୟକତା ବେଶି ଥିଲା ।

ଚାଷୀଙ୍କୁ କୃଷି ଋଣ ଛାଡ଼, ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସାମାଜିକ ସୁରକ୍ଷା ଯୋଜନା ପାଇଁ ଅଧିକ ଅର୍ଥ ବରାଦ କରାଯାଇନାହିଁ। ଏହା ଫଳରେ ସମାଜର ତଳସ୍ତରର ଲୋକ ପ୍ରଭାବିତ ହେବେ। ମନରେଗାରେ ମଧ୍ୟ ପୂର୍ବାପେକ୍ଷା କମ୍ ଅର୍ଥ ବରାଦ ହୋଇଛି। ଏହା ଏକ ଚାହିଦା ଭିତ୍ତିକ କାର୍ଯ୍ୟକ୍ରମ ହୋଇଥିବାରୁ ଏହାର ପ୍ରତ୍ୟେକ୍ଷ ପ୍ରଭାବ ଅନୁଭୂତ ହେବ। ସେହିଭଳି ବାର୍ଦ୍ଧକ୍ୟ ଭତ୍ତା ଆଦି କ୍ଷେତ୍ରରେ ହିତାଧିକାରୀ ବୃଦ୍ଧି ପାଉଥିବା ବେଳେ ଅର୍ଥରାଶି ବୃଦ୍ଧି ପାଇନାହିଁ, ଯାହା ରାଜ୍ୟ ବଜେଟ୍‌ରେ ଅପେକ୍ଷା ରଖୁଥିଲା।

କେନ୍ଦ୍ର ସରକାର ଏଥର ବଜେଟ୍‌ରେ ଆଇସିଡିଏସ୍ ବା ସମନ୍ବିତ ଶିଶୁ ବିକାଶ ଯୋଜନାକୁ ବନ୍ଦ କରିଦେଇଛନ୍ତି। ଏହା ବଦଳରେ ୧୧୨ ଆକାଂକ୍ଷୀ ଜିଲ୍ଲା ପାଇଁ ପୋଷଣ-୨.୦ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହେଲେ ସେଥିରେ ଅନୁଦାନ ପାଖାପାଖି ୮ହଜାର କୋଟି ଟଙ୍କା କମିଛି। ପୂର୍ବରୁ ଆଇସିଡିଏସ୍‌ରେ ୨୮ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ହେଲେ ଏହି ନୂଆ ଯୋଜନାକୁ ୨୦ ହଜାର କୋଟିକୁ ଖସାଇ ଦିଆଯାଇଛି । ସ୍ବାସ୍ଥ୍ୟ କ୍ଷେତ୍ରକୁ କେନ୍ଦ୍ର ସରକାରଙ୍କ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ହେଲେ ରାଜ୍ୟର ଯୁକ୍ତି ହେଉଛି, ସେଥିରେ ମଧ୍ୟ ବିଶେଷ ସହାୟତା ମିଳିବ ନାହିଁ । ଏଇଥିପାଇଁ ଯେ ରାଜ୍ୟ ସରକାର ନିଜସ୍ବ ଅର୍ଥରେ ଏ ବାବଦ କାର୍ଯ୍ୟକ୍ରମ ଆରମ୍ଭ କରିସାରିଛନ୍ତି ।ବଜେଟ୍‌ର ସବୁଠାରୁ କୌତୂହଳପୂର୍ଣ୍ଣ ଦିଗଟି ହେଲା, ଓଡ଼ିଶା ସରକାରଙ୍କ ଢାଞ୍ଚାରେ କେନ୍ଦ୍ର ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ଓ ୩୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ତେବେ ବଜେଟ୍‌ରେ ଏମ୍‌ଏସ୍‌ଏମ୍‌ଇ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଓଡ଼ିଶା ପାଇଁ ସକାରାତ୍ମକ ରହିବ ବୋଲି ଅଧିକାରୀମାନେ କହିଛନ୍ତି । ସେହିଭଳି ଦୀର୍ଘ ବର୍ଷ ପରେ ଅର୍ଥ କମିସନ ରାଜ୍ୟର ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ଅର୍ଥ ବରାଦର ବାଟ ଖୋଲିଛନ୍ତି। ଏଥିରେ ୬ଟି ବଡ଼ ପ୍ରକଳ୍ପ ନିଆଯାଇଛି । ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ର ସରକାରଙ୍କ ବଜେଟ୍‌ରେ କିଛି ଦୀର୍ଘମିଆଦୀ କାର୍ଯ୍ୟକ୍ରମ ସଂପର୍କରେ ସୂଚୀତ କରାଯାଇଛି। ଆସନ୍ତା ବର୍ଷମାନଙ୍କରେ ଏ ବାବଦରେ କାର୍ଯ୍ୟକ୍ରମ ସରକାର ହାତକୁ ନେବ। ଏବେଠାରୁ ଏହା ଆଶା ଦେଖାଉଥିଲେ ହେଁ, ଆସନ୍ତାଦିନର ଅର୍ଥନୀତି ଉପରେ ଏହାର ଭାଗ୍ୟ ନିର୍ଭର କରିବ । ଏସବୁ କାରଣରୁ ଏଥର ଓଡ଼ିଶା ବଜେଟ ବି ଚାପଗ୍ରସ୍ତ ରହିବ । ରାଜ୍ୟର ନିଜସ୍ବ ଟିକସ ବୃଦ୍ଧି ନହେଲେ, ସ୍ଥିତି ଯେ ଆସନ୍ତା ଦିନରେ ଅସମ୍ଭାଳ ହେବ, ଏହା ଜଳ ଜଳ ହୋଇ ଦିଶୁଛି ।