ଗଡୁନି ଗାଡି, ଅଟକିଲା ଟ୍ରେନ୍: ପଡିଲା ଭାରତ ବନ୍ଦର ପ୍ରଭାବ; ଭୁବନେଶ୍ୱର, ବାଲେଶ୍ୱର , କଟକ, ପୁରୀ ଓ ସମ୍ବଲପୁରରେ ଚକ ଅଖ ବନ୍ଦ

ଗଡିଲାନି ଗାଡି, ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଅଟକାଇଲେ ଆନ୍ଦୋଳନକାରୀ

389

କନକ ବ୍ୟୁରୋ: ଆଜି ଦେଶବ୍ୟାପି ଧର୍ମଘଟ। ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ମୋଦି ସରକାରଙ୍କ ବିରୋଧରେ ବାମଦଳ ଓ ଶ୍ରମିକ ସଂଗଠନ ଗୁଡିକ ୨୪ ଘଂଟିଆ ଭାରତ ବନ୍ଦ ଡାକରା ଦେଇଛନ୍ତି  । ଆଉ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି କଂଗ୍ରେସ । ତେବେ ଭାରତ ବନ୍ଦର ପ୍ରଭାବ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପରିଲିକ୍ଷତ ହୋଇଛି । ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ବିଭିନ୍ନ ସ୍ଥାନରେ ରେଳ ରୋକ ମଧ୍ୟ କରାଯାଇଛି ।

ମାଷ୍ଟରକ୍ୟାଂଟିନ, ବରମୁଣ୍ଡା, ବାଣୀବିହାର, ଆଚାର୍ଯ୍ୟ ବିହାରରେ ମଧ୍ୟ ଆନ୍ଦୋଳନକାରୀମାନେ ପିକେଟିଂ କରିଛନ୍ତି ।  ଶତାଧିକ ଆନ୍ଦୋଳନକାରୀ ଭୁବନେଶ୍ୱର ଷ୍ଟେସନରେ  ରେଳରୋକ କରିଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଫସିରହିଛନ୍ତି । ବରମୁଣ୍ଡାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମଳିଛି । ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଚଳାଚଳ ବନ୍ଦ ରହିଥିବାରୁ ଲୋକମାନେ ନାହିଁ ନଥିବାର ସମ୍ମୁଖୀନ ହେଉଛନ୍ତି। ସବୁଆଡେ ରାସ୍ତା ଖାଁ ଖାଁ ହୋଇଯାଇଛି।

ଭଦ୍ରକରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଶତାଧିକ ସଂଖ୍ୟକ ବିକ୍ଷୋଭକାରୀ ଭଦ୍ରକ ଷ୍ଟେସନରେ ପହଞ୍ଚି ରେଳରୋକ କରିଛନ୍ତି । ଫଳରେ ଡିଏମୟୁ ଟ୍ରେନ ଅଟକି ରହିଛି । ସେହିପରି ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଛନ୍ତି ବିକ୍ଷୋଭକାରୀ । ବନ୍ଦ ଯୋଗୁ ସହରର ଦୋକାନ ବଜାର ବନ୍ଦ ରହିଛି । ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି ।

ବ୍ରହ୍ମପୁରରେ ଭାରତ ବନ୍ଦର ପ୍ରଭାବ । ଆନ୍ଦୋଳନକାରୀମାନେ ରେଳ ଷ୍ଟେସନରେ ପହଂଚି ରେଳରୋକ କରିବା ଫଳରେ ମେମୁ ଓ ବିଶାଖାପାଟଣା ପ୍ୟାସେଂଜର ଟ୍ରେନ ଷ୍ଟେସନରେ ଅଟକି ରହିଛି । ଫଳରେ ଜରୁରୀ କାମରେ ଆସିଥିବା ଲୋକେ ବିଭିନ୍ନ ସ୍ଥାନରେ ଫସିରହିଛନ୍ତି ।

କଟକରେ ମଧ୍ୟ ଭାରତ ବନ୍ଦ ପାଳନ ସହ ଯାତାୟାତ ଠପ୍ । ବାଦାମବାଡିରେ ଆନ୍ଦୋଳନକାରୀଙ୍କ ରାସ୍ତାରୋକ । ଏହାସହ କଟକ ଷ୍ଟେସନରେ ଅନେକ ଟ୍ରେନ ଅଟକାଇଲେ । ଭାରତ ବନ୍ଦକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀଙ୍କ ରାସ୍ତାରୋକ ।

ସେହିଭଳି ସମ୍ବଲପୁର, ବଲାଙ୍ଗିର ଓ ସୋରରେ ମଧ୍ୟ ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ । ଆନ୍ଦୋଳନକାମାନେ ରାସ୍ତାରୋକ କରିବା ସହ ସମ୍ବଲପୁର ଷ୍ଟେସନରେ ରେଳ ରୋକ କରିଛନ୍ତି। ଫଳରେ ଷ୍ଟେସନରେ ବହୁ ଟ୍ରେନ ଅଟକି ରହିଛି । ବାଲେଶ୍ୱରରେ କଂଗ୍ରେସ ଓ ବାମଦଳର ମିଳିତ ପିକେଟିଂ । ଷ୍ଟେସନ ଛକ, ଫକୀର ମୋହନ ଗୋଲେଇରେ ରାସ୍ତାରୋକ ।

 

ଅନୁଗୁଳ ଓ ନାଲକୋରେ ମଧ୍ୟ ଏନଏଚ୍ ଅବରୋଧ । ଜଗତସିଂହପୁର ବସଷ୍ଟାଣ୍ଡ ନିକଟରେ ରାସ୍ତାରୋକ । ଗୁଣୁପୁର ବାଇପାସରେ ବାମପନ୍ଥୀ ଦଳ ପକ୍ଷରୁ ରାସ୍ତା ଅବରୋଧ । ମାଲକାନଗିରି ଜିଲ୍ଲାରେ ମଧ୍ୟ ପଡିଛି ବନ୍ଦର ପ୍ରଭାବ । ରାସ୍ତା ଅବରୋଧ ଯୋଗୁଁ ପୁରୀ-ଭୁବନେଶ୍ୱର ଗମନାଗମନ ଠପ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ରେଳ ରୋକ । ତେବେ ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି।  ଔଷଧ ଦୋକାନ, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବେ ନାହିଁ ବୋଲି ମଂଚ ପକ୍ଷରୁ କୁହାଯାଇଛି ।