ଗଡିଲାନି ଗାଡି, ଚାଲିଲାନି ରେଳ ! ଅଖ ଜାମ୍, ଚକ ବି ଜାମ୍, ଦିଲ୍ଲୀରୁ ଓଡ଼ିଶା ସବୁଠି ଭାରତ ବନ୍ଦର ପ୍ରଭାବ ।

31

କନକ ବ୍ୟୁରୋ : କଂଗ୍ରେସର ଭାରତ ବନ୍ଦର ପ୍ରଭାବ ସମଗ୍ର ଦେଶ ଏବଂ ରାଜ୍ୟରେ ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ ହୋଇଥିବା ବେଳେ କେତେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ସାରା ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଥିଲା । ଦୋକାନ ବଜାର ଏବଂ ସରକାରୀ, ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିବା ପରିଲକ୍ଷିତ ହୋଇଥିଲା । ତେବେ ମେଡିସିନ ଷ୍ଟୋର ଖୋଲା ରହିଥିବା ବେଳେ ଆମ୍ବୁଲାନ୍ସ ସେବା ଜାରି ରହିଥିଲା ।

ଦୋକାନ ବଜାର ବନ୍ଦ । ଗଡିଲାନି ଗାଡି । ଚାଲିଲାନି ରେଳ । ଅଖ ଜାମ, ଚକ ବି ଜାମ । ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ଭାରତ ବନ୍ଦର ପ୍ରଭାବ । ବନ୍ଦ ରହିଥିଲା ରାଜ୍ୟର ସମସ୍ତ ସ୍କୁଲ କଲେଜ, ଓ ଅଧିକାଂଶ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ । ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଛକରେ ପିକେଟିଂ କରି କଂଗ୍ରେସ କର୍ମୀମାନେ ବନ୍ଦ ପାଳନ କରିଥିଲେ । ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ମୋଟର ସାଇକେଲ ମଧ୍ୟ ବାଦ ପଡିନଥିଲା । କଟକରେ ମଧ୍ୟ ଦେଖିବାକୁ ମିଳିଥିଲା ବନ୍ଦର ଅନୁରୁପ ଦୃଶ୍ୟ ।

ବନ୍ଦ ସତ୍ୱେ କାକଟପୁର ତହସିଲ ଅଫିସ ଖୋଲାଥିବାରୁ ପଛପଟ ଗେଟ ଭାଙ୍ଗି ଦେଇଥିଲେ ଆନ୍ଦୋଳନକାରୀମାନେ । ଅଫିସ ପରିସରରେ ପୁଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହେବା ସହ ତହସିଲ କର୍ମଚାରୀଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ସମ୍ବଲପୁରରେ ଆରଡିସି ଅଫିସ ଭିତରକୁ ଆନ୍ଦୋଳନକାରୀମାନେ ମଧ୍ୟ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସକାଳୁ ସକାଳୁ ହୋଇଥିଲା ରେଳ ରୋକ । ତେବେ ବନ୍ଦ ପାଳନ ବେଳେ ସହଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ବନ୍ଦ ପାଳନ ବେଳେ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରରେ ହଇରାଣ ହୋଇଥିଲେ ପର୍ଯ୍ୟଟକ । ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ଷ୍ଟେସନ ଓ ବସଷ୍ଟାଣ୍ଡରେ ଅଟକି ରହିଥିଲେ । କୋଣାର୍କରେ ସୂର୍ଯ୍ୟ ମନ୍ଦିର ଭିତରକୁ ଯାଇପାରିନଥିଲେ ପର୍ଯ୍ୟଟକ । ବାମପନ୍ଥୀ କର୍ମୀମାନେ ମନ୍ଦିର ଆଗରେ ଦେଇଥିଲେ ଧାରଣା ।

ବ୍ରହ୍ମପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । କଂଗ୍ରେ୍ସ କର୍ମୀମାନେ ରାସ୍ତାରେ ପିକେଟିଂ କରିଥିଲେ । ନବରଙ୍ଗପୁରରେ ଦୋକାନ ବଜାର ସ୍କୁଲ କଲେଜ ସବୁ ବନ୍ଦ ରହିଥିଲା । ଗାଡି ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ନାହିଁ ନଥିବା ହଇରାଣ ହୋଇଥିଲେ । ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଥିଲା ଛାତ୍ର କଂଗ୍ରେସ ନେତାଙ୍କ ଉଗ୍ରରୂପ । ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗି ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହୋର୍ଡିଙ୍ଗସ ଓ ପୋଷ୍ଟରକୁ ଚିରି ଦେଇଥିଲେ ଆନ୍ଦୋଳନକାରୀ । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ବିଭିନ୍ନ ସରକାରୀ ଦଫତର ଭିତରକୁ  ଧସେଇ ପଶିଥିଲେ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିଥିଲେ । ବାଲେଶ୍ୱର, ଜଗତସିଂହପୁର ଓ ବଲାଙ୍ଗୀରରେ ବି ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ସବୁଠି ଦେଖିବାକୁ ମିଳିଥିଲା ବନ୍ଦର ପ୍ରଭାବ ।