ଲଗାଣ ବର୍ଷାରେ ଉଛୁଳୁଛି ଗଞ୍ଜାମ ଜିଲ୍ଲାର ପ୍ରମୁଖ ନଦୀ । ଭଞ୍ଜନଗର ଏବଂ ବାଲିପଦର ଯୋଗାଯୋଗ ବିଚ୍ଛିନ୍ନ ।

193

କନକ ବ୍ୟୁରୋ : ଗତ ଦୁଇଦିନ ଧରି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି । ଯାହା ଫଳରେ ପୋଖରୀ ନାଳରେ ପାଣି ଭର୍ତ୍ତି ହେବା ସହ ନଦୀ ଗୁଡିକରେ ବର୍ଷା ଜଳ କୂଳ ଲଂଘିବାରେ ଲାଗିଛି । ନିଅଣ୍ଟିଆ ବର୍ଷା ପାଇଁ ସବୁ ଶୁଖିଲା ପଡ଼ିଥିବା ବେଳେ ବର୍ତମାନ ବର୍ଷା ଫଳରେ ଜଳପୂର୍ଣ୍ଣ ହେବାରେ ଲାଗିଛି । ବର୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ବର୍ଷା ଜାରି ରହିଥିବାରୁ ଆଗାମୀ ସମୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଲୋହାରାଖଣ୍ଡି, ବଡ଼ ନଦୀ, ପଦ୍ମା ନଦୀ ଓ ବୋଡା ନଦୀରେ ଦୁଇ କୂଳ ଉଛୁଳି ପାଣି ଯାଉଥିବା ଦେଖିବାକୁ ମିଳିଛି ।

ବେଲଗୁଣ୍ଠା ବ୍ଲକ୍ ଚଢ଼େୟା ପଲ୍ଲୀ ନିକଟରେ ବୋଡା ନଦୀ ସେତୁ ନିର୍ମାଣାଧୀନ ଥିବା ବେଳେ ଏଥି ପାଇ ନିର୍ମିତ ଡାଇଭର୍ସନ୍ ରୋଡ଼ ଉପରେ ୫ ଫୁଟ ଉଚ୍ଚରେ ବର୍ଷାଜଳ ପ୍ରଭାବିତ ହୋଇଛି । ଯାହା ଫଳରେ ବେଲଗୁଣ୍ଠା ବାଲିପଦର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏହି ରାସ୍ତା ଉପରେ ପ୍ରାୟ ୪୦ରୁ ଉର୍ଦ୍ଧ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଗମନାଗମନ ସମୂର୍ଣ୍ଣ ଠପ୍ ହୋଇଯାଇଛି । ଅନ୍ୟପଟେ ଜଳ ଭଣ୍ଡାର ଗୁଡ଼ିକ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି । ଅନବରତ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ଯେ କୌଣସି ପ୍ରକାରର ପରିସ୍ଥିତି ପାଇଁ ପ୍ରଶାସନ ସଜାଗ ରହିଥିବା ବେଳେ ବନ୍ୟା ଆଶଙ୍କା ରହିଥିବା ଅଞ୍ଚଳ ଗୁଡିକରେ ତୀକ୍ଷ୍ଣ ନଜର ରଖାଯାଇଥିବା ଭଞ୍ଜନଗର ଉପଜିଲ୍ଲାପାଳ କହିଛନ୍ତି । ଆବଶ୍ୟକ ପଡିଲେ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବା ନେଇ ସେ ସୂଚନା ଦେଇଛନ୍ତି ।