କନକ ବ୍ୟୁରୋ : କାୟା ବିସ୍ତାର କରି ଚାଲିଛି ମହାମାରୀ କରୋନା । ସୁନ୍ଦରଗଡ ଜିଲ୍ଲାରେ ସଂଖ୍ୟା ଛୁଇଁଛି ୧୬୨୧ । ଏମାନଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛନ୍ତି ସ୍ମାର୍ଟ ସିଟି ରାଉରକେଲାରେ । ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହା ସତ୍ବେ କରୋନା ସଂକ୍ରମଣରେ ବ୍ରେକ୍ ଲାଗି ପାରୁନି। ତେଣୁ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ସ୍ମାର୍ଟସିଟିବାସୀଙ୍କୁ ଘାରିଛି ରୋଗପ୍ରତିରୋଧ ଶକ୍ତି (ଇମ୍ୟୁନିଟି ପାୱାର) ଚିନ୍ତା । ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ସମସ୍ତେ ଖାଦ୍ୟ ଅପେକ୍ଷା ବେଶି ଇମ୍ୟୁନିଟି ପାୱାରକୁ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଘରେ ଘରେ ଚାଲିଛି କାଡା ପ୍ରସ୍ତୁତି । କେବଳ କାଡା ନୁହେଁ କିଣାଯାଉଛି ଭିଟାମିଟ୍ ଟାବଲେଟ୍, ହୋମିଓପାଥିକ ବୁଷ୍ଟର । ଫଳରେ ସହରରେ ଅଧିକାଂଶ ଔଷଧ ଦୋକାନରେ ଭିଟାମିଟ୍ ଟାବଲେଟ୍ ମିଳୁନାହିଁ। କେତେକ ସ୍ଥାନରେ ନିର୍ଦ୍ଧାରିତ ଦାମ ଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ।
ଗତ କିଛି ଦିନ ହେବ ଭିଟାମିନ୍ ଟାବଲେଟ୍ ବିକ୍ରି ପୂର୍ବାପେକ୍ଷା ଢ଼େର ବଢ଼ି ଯାଇଥିବା କିଛି ଔଷଧ ଦୋକାନୀ କହିଛନ୍ତି । ଭିଟାମିନ୍ ଟାବଲେଟ୍ ମଧ୍ୟ ରହିଛି ଭିଟାମିନ୍ –ସି, ଜିଙ୍କୋନିଆ-୫୦, ଜିଙ୍କୋଭିଟ୍, ବି –କୋଲେନ୍ ଡ୍ରପ୍, ବି- କୋଲେନ୍ ଟାବଲେଟ୍, ବିକୋସୁଲ, ସିଲିନ୍, ଲିନ୍ସି ଇତ୍ୟାଦି । ଅନୁରୂପ ଭାବେ ହୋମିଓପାଥିକ ଇମ୍ୟୁନିଟି ବୁଷ୍ଟର, କାଡା ପାଇଁ ଆବଶ୍ୟକ ଆୟୁର୍ବେଦିକ ସାମଗ୍ରୀ ବିକ୍ରି ମଧ୍ୟ ସେହି ପରିମାଣରେ ବିକ୍ରି ହେଉଛି। ନ୍ୟୁ ଭବନୀ ମେଡିକାଲ ଷ୍ଟୋର ବିଜିତ ବିଶ୍ବାଳ, ଚିନ୍ମୟ ମେଡିସିନ୍ ଷ୍ଟୋର ହିରୋଜ ରାୟ କହନ୍ତି, ପୂର୍ବରୁ ଭିଟାମିଟ୍ ଟାବଲେଟ୍ ଏତେଟା ଚାହିଦା ନଥିଲା। ଏବେ ଦୈନିକ ୪୦ରୁ ୫୦ ଷ୍ଟ୍ରିପ୍ ବିକ୍ରି ହେଉଛି । ଯେଉଁମାନେ ଔଷଧ କିଣିବାକୁ ଆସୁଛନ୍ତି ସେମାନେ ୨/୩ ଷ୍ଟ୍ରିପ୍ ଭିଟାମିନ୍ ଟାବଲେଟ୍ କିଣି ନେଉଛନ୍ତି । ଲୋକମାନେ ମାଗୁଥିବାରୁ ଆମେ ଅଧିକ ଭିଟାମିଟ୍ ଟାବଲେଟ୍ ରଖିବାକୁ ବାଧ୍ୟ ହେଉଛୁ। ଅନୁରୂପ ଭାବେ ଯେଉଁଠି ହୋମିଓପାଥିକ କ୍ଲିନିକ୍ ଓ ଔଷଧ ଦୋକାନରେ ସଦାସର୍ବଦା ଖାଁ ଖାଁ ଥିଲା ସେଠି ଏବେ ଲୋକଙ୍କ ଭିଡ ଜମୁଛି । ଡାଲଚିନ୍, ଲବଙ୍ଗ, ଗୁଜୁରାତି, ତେଜପତ୍ର, ଲେମ୍ବୁ, ଗୁଡ, ଅଦା, ତୁଳସୀ ପତ୍ର ମିଶ୍ରିତ କାଡାର ଚାହିଦା ମଧ୍ୟ କାହିଁରେ କ’ଣ ।
ଚାହିଦା ଅନୁଯାୟୀ ଏବେ ସହର ପ୍ରତ୍ୟେକ ଦୋକାନରେ ଏସବୁ ଜିନିଷ ବିକ୍ରି ହେଉଛି। ହୋମିଓପାଥିକ କଳେଜ ପକ୍ଷରୁ ସହରରେ ୪୬ରୁ ଅଧିକ ସଂସ୍ଥା ମାଧ୍ୟମରେ ହୋମିଓପାଥିକ ଇମୁନୋ ବୁଷ୍ଟର ବଣ୍ଟନ କରାଯାଇଛି। ଅଦ୍ୟାବଧି ସହରରେ ୭୫ ହଜାର ଲୋକଙ୍କୁ ମାଗଣାରେ ବଣ୍ଟା ଯାଇଛି।