ଜାଣନ୍ତୁ କେମିତି ବଢାଇବେ ଇମ୍ୟୁନିଟି ପାୱାର ?

236

କନକ ବ୍ୟୁରୋ : ଇମ୍ୟୁନିଟି ପାୱାର । ସାଧାରଣ ଭାଷାରେ କହିଲେ ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି । ଯାହା ସାହାଯ୍ୟରେ ଆମେ ରୋଗ ସହିତ ଲଢିଥାଉ । ଜୀବାଣୁ, ଭୂତାଣୁକୁ ପରାସ୍ତ କରିଥାଉ । ଆମ ଶରୀରରେ ଇମ୍ୟୁନିଟି ପାୱାର କମିଗଲେ ଆମକୁ ଜ୍ୱର ଆଉ ରୋଗ ହୋଇଥାଏ । ତେଣୁ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଏହାର ଆବଶ୍ୟକତା କେତେ ଆପଣ ଜାଣିପାରୁଥିବେ । ବିଶେଷକରି କୋଭିଡ୍ କାଳରେ ଏହି ଇମ୍ୟୁନିଟି ପାୱାର ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି ବିଶେଷଜ୍ଞ ଡାକ୍ତର । ତେଣୁ ଆଜି ଆସନ୍ତୁ ଜାଣିବା କେମିତି ବଢାଇବେ ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧକ ଶକ୍ତି ।

ପ୍ରଥମେ ଜାଣି ରଖନ୍ତୁ, ଏହି ଇମ୍ୟୁନିଟି ବା ରୋଗପ୍ରତିରୋଧକ ଶକ୍ତି କଣ ? ଆମ ଶରୀରର ରକ୍ତରେ ଶ୍ୱେତ ରକ୍ତ କଣିକା ନାମକ ଏକ କୋଷ ରହିଛି । ଯାହାକି ଆମ ଶରୀରର ପ୍ରତିରକ୍ଷା ବାହିନୀ । ଯେକୌଣସି ଜୀବାଣୁ ବା ଭୂତାଣୁ ଆମ ଶରୀରକୁ ଆକ୍ରମଣ କଲେ, ଏହି ଶ୍ୱେତ ରକ୍ତକଣିକା ତା ବାଟକୁ ଜଗିଥାଏ । ଆଉ ଏହା ସହିତ ଲଢିଥାଏ । ଯାହାକୁ ଆମେ ଆମର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର କହିଥାଉ ।

ଏହି ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାକୁ ହେଲେ…

• ଶରୀରକୁ ସମସ୍ତ ପ୍ରକାର ପୁଷ୍ଟିତତ୍ୱ ଯେପରିକି ପ୍ରୋଟିନ୍, କାର୍ବୋ ହାଇଡ୍ରେଟ୍, ଭିଟାମିନ୍ ଆଉ ମିନେରାଲ୍ସ ଯୁକ୍ତ ଖାଦ୍ୟ ଖାଇବା ଦରକାର ।

• ତା ସହିତ ବାଲାନ୍ସ ଡାଏଟ୍, ବ୍ୟାୟାମ୍, ସୁନିଦ୍ରା ମଧ୍ୟ ଆମ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଆମକୁ ସାହାଯ୍ୟ କରିଥାଏ ।

• ଆପଣ ଯଦି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଛନ୍ତି , ତେବେ ସନ୍ତୁଳିତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଡାଲି ଜାତୀୟ ଖାଦ୍ୟ ସହିତ କ୍ଷୀର, ଛେନା, ଦହି, ଗଜାମୁଗ ଓ ଗଜାବୁଟ ନିୟମିତ ଖାଆନ୍ତୁ ।

• ଏହାସହିତ ଭିଟାମିନ୍ ସି ଯୁକ୍ତ ଫଳ । ଯେପରିକି କମଳା, ଲେମ୍ବୁ, ସପୁରୀ, ଭଣ୍ଡା ଆଉ ଷ୍ଟ୍ରବେରୀ ଖାଆନ୍ତୁ । ପ୍ରଚୁର ପାଣି ପିଇବା ମଧ୍ୟ ଜଣେ ଲୋକର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

• ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେଲେ ଯଥାସମ୍ଭବ ଜଙ୍କଫୁଡ୍ , ଫାଷ୍ଟଫୁଡ ଠାରୁ ଦୂରରେ ରୁହନ୍ତୁ । ଏହାଛଡା ମଇଦା, ଚିନି, ଲୁଣ ଭଳି ଖାଦ୍ୟ ଖାଆନ୍ତୁ ନାହିଁ ।

ତେବେ ଶେଷରେ ଜାଣିରଖନ୍ତୁ ଏହି ରୋଗ ପ୍ରତିରୋଧକ ଶକ୍ତି କେତେ ପ୍ରକାରର । ଆମ ଶରୀରରେ ସାଧାରଣତଃ ଦୁଇ ପ୍ରକାରର ରୋଗ ପ୍ରତିରୋଧକ ଶକ୍ତି ରହିଥାଏ । ଗୋଟିଏ ଜନ୍ମରୁ ଓ ଅନ୍ୟଟି ଅର୍ଜିତ । ସାଧାରଣ ଭାଷାରେ କହିଲେ, ଜନ୍ମରୁ ଏକ ପ୍ରକାରର ରୋଗ ପ୍ରତିରୋଧକ ଶକ୍ତି ଆମ ଶରୀରରେ ରହିଥାଏ । ତା ସହିତ ବିଭିନ୍ନ ଟିକା ନେବା ଦ୍ୱାରା ମଧ୍ୟ ଆମ ଶରୀରରେ ଆଟିଂବଡି ତିଆରି ହୁଏ । ଯାହାକୁ ଆମେ ଅର୍ଜିତ ରୋଗ ପ୍ରତିରୋଧକ ଶକ୍ତି କହିଥାଉ । କୋଭିଡ୍ ସମୟରେ ଏହି କଥା ଆପଣ ଭଲ ଭାବେ ଜାଣିଥିବେ । ତେଣୁ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଆପଣଙ୍କ ଇମ୍ୟୁନିଟି ପାୱାର ବଢାନ୍ତୁ । ରୋଗଠାରୁ ଦୂରରେ ରୁହନ୍ତୁ ।