ପୋଲିସ ହାଉସିଂ ବୋର୍ଡ ଡେପୁଟି ମ୍ୟାନେଜର ଚାକିରିରେ ୧୫ କୋଟିର ଟଙ୍କାର ଅଚଳାଚଳ ସମ୍ପତ୍ତି । ବାବୁଙ୍କ ସମ୍ପତ୍ତି ଦେଖି କାବା ହୋଇଗଲେ ଭିଜିଲାନ୍ସ ଅଧିକାରୀ ।

ଆୟର ୧୦ ଗୁଣ ସମ୍ପତ୍ତିି ଠୁଳ ଅଭିଯୋଗରେ ପ୍ରତାପ ସାମଲଙ୍କୁ ଗିରଫ କଲା ଭିଜିଲାନ୍ସ

166

କନକ ବ୍ୟୁରୋ: ପୋଲିସ ହାଉସିଂ ବୋର୍ଡ଼ ଡ଼େପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ସମ୍ପତ୍ତି ଦେଖି ଖୋଦ ଭିଜିଲାନ୍ସ ଅଧିକାରୀମାନେ କାବା ହୋଇ ଯାଇଛନ୍ତି । ଜଣେ ଡେପୁଟି ମ୍ୟାନେଜର ଏତେ ପରିମାଣର ସମ୍ପତ୍ତିି ଠୁଳ କରିଥିବେ ବୋଲି କେହି କେବେ ଅନୁମାନ କରିପାରିନଥିଲେ । ଭିଜିଲାନ୍ସର ଅଧିକାରୀମାନେ ଯେତେ ଖୋଜି ଚାଲିଥିଲେ, ସେତେ ସମ୍ପତ୍ତି ମିଳି ଚାଲିଥିଲା । ୨୭ ପ୍ଲଟ, ୫ କୋଠା, ୨୦ ହଜାର ବର୍ଗଫୁଟ ସ୍ଥାନରେ ବିଶାଳ ଅଟ୍ଟାଳିକା, ରାଜଧାନୀର ଛାତି ନୟାପଲ୍ଲୀରେ ରାଜକୀୟ କୋଠା, ଏମିତି ଆହୁରି କେତେ କଣ ।

ଜୀବନ ସାରା ପରିଶ୍ରମ କରି ଘର ଖଣ୍ଡେ କରିବା ସାଧାରଣ ମଣିଷ ପାଇଁ କାଠିକର ପାଠ ହୋଇଯାଉଥିବାବେଳେ, ବିରାଟ ବିରାଟ ଅଟ୍ଟାଳିକା କରିଥିଲେ ଓଡିଶା ପୁଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ପ୍ରତାପ ସାମଲ । ଯାହାକୁ ଦେଖି ତଦନ୍ତକାରୀ ଅଧିକାରୀ କାବା ହୋଇଯାଇଛନ୍ତି ।

କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କ ବିଭିନ୍ନ ଠିକଣାରେ ରେଡ୍ ପରେ , ତଦନ୍ତ ଯେତିକି ଯେତିକି ଆଗଉଛି ତାଙ୍କ ସମ୍ପତ୍ତିର ପରିମାଣ ସେତିକି ବଢ଼ି ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ଭିଜିଲାନ୍ସ ଠାବ କରିଥିବା ପ୍ରତାପଙ୍କ ସମ୍ପତ୍ତିର ପରିମାଣ ତାଙ୍କ ଆୟଠାରୁ ୧୦ ଗୁଣ ଅଧିକ ବୋଲି ଜଣାପଡିଛି । ସରକାରୀ ଭାବେ ୧ ହଜାର ୭୧ ପ୍ରତିଶତ ବୋଲି କୁହାଯାଇଛି । ମୋଟ ସମ୍ପତିର ମୂଲ୍ୟ ୧୪ କୋଟି ୮୭ ଲକ୍ଷ ବୋଲି ଭିଜିଲାନ୍ସ କହିଛି । ଏଥିରେ ରହିଛି, ପ୍ରତାପ ଓ ତାଙ୍କ ପରିବାର ନାଁରେ ବ୍ୟାଙ୍କରେ ଥିବା ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା । ପ୍ରତାପ ଓ ତାଙ୍କ ପରିବାରଙ୍କ ନାଁରେ ଥିବା ୨୫ଟି ଜମି, କୋଠା ଓ ଫ୍ଲାଟ ।

୩୩ ବର୍ଷର ଚାକିରୀ ଭିତରେ ପ୍ରତାପ କେମିତି ଏତେ ଟଙ୍କା ଆଣିଲେ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । କୁହାଯାଉଛି, ସେ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱରେ ଥିବାବେଳେ ନିଜ ଇଛା ଅନୁସାରେ ନିର୍ମାଣ କାର୍ଯ୍ୟର କାଗଜପତ୍ର କରିବା ସହ ଠିକାଦାର ଚୟନ କରୁଥିଲେ । ଆଉ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ନିର୍ମାଣ ହେଉଥିଲା ବିଭିନ୍ନ କୋଠା । ଅସତ ଉପାୟରେ ଆୟ କରିଥିବା ସେହି ଟଙ୍କାରେ କୁବେର ପାଲଟି ଯାଇଥିଲେ ପ୍ରତାପ । ହେଲେ ପ୍ରଶ୍ନ ଉଠୁଛି,

  • ପ୍ରତାପ ଏକୁଟିଆ ଏହି କାମ କରୁଥିଲେ ନା ତାଙ୍କର କିଏ ଗଡଫାଦର ଥିଲେ?
  • ଏକୁଟିଆ ଏତେ ବଡ ଦୁର୍ନୀତି କରିବା କଣ ସମ୍ଭବ ହୋଇଥିବ?
  • ଭିଜିଲାନ୍ସର କାମ ଏଇଠି ଅଟକି ଯିବ ନା ଆଗକୁ ବଢ଼ିବ?