ସରକାରୀ ଅଧିକାରୀଙ୍କୁ ଏମିତି ବିଦାୟ କେବେ କେଉଁଠି ଦେଖିନଥିବେ । ବଦଳି ପରେ ଏସଡିପିଓଙ୍କୁ ବାଜା ବଜାଇ କାନ୍ଧରେ ବସାଇ ଶୋଭାଯାତ୍ରାରେ ନେଲେ ଲୋକେ ।

1,439

କନକ ବ୍ୟୁରୋ : ଏହା କୌଣସି ରାଜନୈତିକ ରାଲି ନୁହେଁ । ଆଉ ଇଏ କୌଣସି ରାଜନେତା ନୁହନ୍ତି । ଏହା ହେଉଛି ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ସାଧାରଣ ଜନସାଧାରଣଙ୍କର ଥିବା ଭଲପାଇବା । ଯାହା ହୁଏତ କେବେ କେଉଁଠି ଦେଖିବାକୁ ମିଳିନଥିଲା । ଏହି ଦୃଶ୍ୟଟି ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଂଚଳର । ଆଉ ଲୋକମାନେ କାନେ୍ଧଇ ନେଇଯାଉଥିବା ଏହି ବ୍ୟକ୍ତି ହେଉଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ମାନସ ରଞ୍ଜନ ବାରିକ ।

ଓପିଏସ ଅଧିକାରୀ ମାନସ ରଞ୍ଜନ ବାରିକ, ଗତ ଏପ୍ରିଲ ୨୦୧୮ରୁ ଚିତ୍ରକୋଣ୍ଡା ଏସଡିପିଓ ଭାବେ କାର୍ଯ୍ୟ କରିଆସୁଛନ୍ତି । ଆଉ ଏବେ ଚିତ୍ରକୋଣ୍ଡାରୁ ବାଲିଗୁଡାକୁ ତାଙ୍କର ବଦଳି ହୋଇଯାଇଛି । ଯେଉଁଥିପାଇଁ ତାଙ୍କୁ ଭାବବିହ୍ୱଳ ବିଦାୟ ଜଣାଇଛନ୍ତି ଜନସାଧାରଣ ।

ମାଓଦମନ ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲେ ମାନସ । ଏହା ସହ ଗଞ୍ଜେଇ ଚୋରାଚାଲାଣ ରୋକିବା ଦିଗରେ ସେ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ । ଆଉ ଲୋକମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରି ସଫେଇ ଅଭିଜାନ ସମେତ ଅନେକ ସାମାଜିକ କାର୍ଯ୍ୟ କରି ଜନସାଧାରଣଙ୍କ ମନ ଜିଣିଥିଲେ ଏସଡିପିଓ ମାନସ ରଞ୍ଜନ ବାରିକ । ଆଉ ତାଙ୍କ ବିଦାୟ ସମୟରେ ଏ ହେଉଛି ବାଲିମେଳାର ଚିତ୍ର । ଲୋକମାନେ ଏସଡିପିଓ ମାନସଙ୍କୁ ତାଙ୍କ ବାସଭବନରୁ ଆଣି କାନ୍ଧରେ ବସାଇ ବାଲିମେଳା ସହର ପରିକ୍ରମା କରାଇଛନ୍ତି ।