କନକ ବ୍ୟୁରୋ : କେବେ କେବେ ଆପଣ ଆଶା କରିନଥିବା ସ୍ଥାନରୁ ଆପଣଙ୍କୁ ଏମିତି କିଛି ମିଳିଯାଏ ତାହା ଆପଣଙ୍କ ବିଶ୍ୱାସ ବାହାରେ । ଏମିତି ଅନେକ ଖବର ଆମେ ଆଗରୁ ବି ପଢିଛୁ ଯେ ଚାଷ କାମ କରିବା ବେଳେ ଜମିରୁ କାହାକୁ ହିରା ମିଳିଛି ତ ଆଉ କିଏ ରାସ୍ତାରେ ଯାଉଥିବା ବେଳେ ପୁଳା ପୁଳା ଟଙ୍କା । ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜଣାଇବାକୁ ଯାଉଛୁ ଯେ ଯେଉଁ ଜିନିଷକୁ ପାଇବା ପରେ ତାକୁ ନେଇ ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗତ ସପ୍ତାହ ବିଜ୍ଞାନ ସମାଚାର ମୁତାବକ ଚୀନର ଗୁଆଙ୍ଗଜୁ ବିଶ୍ୱ ବିଦ୍ୟାଳୟ ଓ ବ୍ରିଟେନର ବୋର୍ନସାଉଥ ବିଶ୍ୱ ବିଦ୍ୟାଳୟର ୧୮ ଜଣ ବୈଜ୍ଞାନିକ ସନ୍ଧାନ କରିଛନ୍ତି କି ଅଳିଆ ଗଦାରୁ ମିଳିଥିବା ଏହି ହାତ ଓ ପାଦ ଚିହ୍ନର ରହସ୍ୟ

Advertisment

ସୂଚନା ମୁତାବକ ଚୀନର ଏକ ସହରରେ ଥିବା ଗୋଟିଏ ଅଳିଆଗଦା ସଫା ହେବା ପରେ ତା ତଳୁ କିଛି ପାଦ ଓ ହାତର ଚିହ୍ନ ମିଳିଥିଲା । ଏହାକୁ ନେଇ ପ୍ରଥମେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହେବା ସହ ପ୍ରତ୍ନତତ୍ତ୍ୱ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ଗୁଆଙ୍ଗଜୁ ବିଶ୍ୱ ବିଦ୍ୟାଳୟ ଓ ବ୍ରିଟେନର ବୋର୍ନସାଉଥ ବିଶ୍ୱ ବିଦ୍ୟାଳୟର ୧୮ ଜଣ ବୈଜ୍ଞାନିକ ଏହାର ସନ୍ଧାନ କରିବା ଆରମ୍ଭ କରିଦେଇଥିଲେ । ଅନୁସନ୍ଧାନରୁ ଜଣାପଡିଥିଲା କି ଏହା ସର୍ବନିମ୍ନ ୧ ଲକ୍ଷ ବର୍ଷ ତଳର କାରୁ କଳା । ବୈଜ୍ଞାନିକମାନଙ୍କ ମତରେ ଏହା ୧,୬୯,୦୦୦ ରୁ ୨,୨୬,୦୦୦ ବର୍ଷ ପୁରୁଣା ଚିତ୍ରକଳା ହୋଇପାରେ । ଏହାସହ ବୈଜ୍ଞାନିକମାନେ ମତ ଦେଇଛନ୍ତି କି ଚଟାଣରୁ ମିଳିଥିବା ଏହି ଚିହ୍ନ ମଧ୍ୟ ହିମଯୁଗର । ଏହି ସ୍ଥାନରୁ ମୋଟ ୫ ଟି ହାତ ଓ ୫ ଟି ଗୋଡର ଚିହ୍ନ ମିଳିଛି । ଯାହାକୁ କି ଗରମ ପାଣି ବହୁଥିବା ଗୋଟିଏ ଝରଣା ନକଟ ପଥରରେ ଖୁଦେଇ କରାଯାଇଛି ।

ମିଳିଥିବା ହାତ ଓ ପାଦ ଚିହ୍ନର ଲମ୍ବକୁ ଦେଖି କୁହାଯାଇଛି କି, ଏହାକୁ ୧୨ ବର୍ଷରୁ କମ ବୟସ୍କ ଜଣେ ପିଲା ଦ୍ୱାରା ଅତ୍ୟନ୍ତ ସାବଧାନର ସହିତ ପ୍ରସ୍ତୁତ କରାଯାଇଛି । ରିସର୍ଚ୍ଚ ସହିତ ଜଡିତଥିବା ବେନସାଉଥ୍ ବିଶ୍ୱ ବିଦ୍ୟାଳୟର ପର୍ଯ୍ୟାବରଣ ଓ ଭୌଗଳିକ ବିଜ୍ଞାନ ପ୍ରଫେସର ମେଥ୍ୟୁ ବେନେଟ କହିଛନ୍ତି କି, ଏହା କୌଣସି ଚଳନ୍ତି ପାଦ ଓ ହାତର ଚିହ୍ନ ନୁହେଁ, ବରଂ ଏହାକୁ ଜାଣିଶୁଣି ପ୍ରସ୍ତୁତ କରାଯାଇଛି । ଏହା ସ୍ଥିରକଳାର ସବୁଠାରୁ ପୁରୁଣା ଉଦାହରଣ ବୋଲି ସେ କହିଛନ୍ତି ।

ଏହି କଳା ଏହା ବୁଝାଉଛି କି ହିମଯୁଗରେ କୌଣସି ପିଲା ଗରମପାଣି ପ୍ରବାହିତ ଏକ ଝରଣା ନିକଟରେ ଖେଳୁଥିବା ସମୟରେ ଏହାକୁ ପ୍ରସ୍ତୁତ କରିଛି । ଏହାକୁ ସେ ଅବିଶ୍ୱସନୀୟ ବୋଲି କହିଛନ୍ତି    ।