ନିର୍ବାଚନ ପ୍ରକ୍ରିୟା ଭଳି ପ୍ରସ୍ତୁତ ଚାଲିଛି ଟିକାକରଣ ପ୍ରକ୍ରିୟା । ୧୨୫ ଜିଲ୍ଲାର ୨୮୫ ସେଣ୍ଟରରେ ହେଲା ଡ୍ରାଏ ରନ୍ । ଖୁବଶୀଘ୍ର ଟିକା କରଣ ପାଇଁ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନିର୍ବାଚନ ପ୍ରକ୍ରିୟା ଭଳି ଟିକାକରଣ ପ୍ରକ୍ରିୟା

98

କନକ ବ୍ୟୁରୋ : କରୋନା ମହାମାରୀରେ ଅତିଷ୍ଠ ହୋଇ ବଡ ଉତ୍ସୁକତାର ସହିତ ଟିକାକୁ ଅପେକ୍ଷା କରିଛନ୍ତି ଦେଶବାସୀ । କେନ୍ଦ୍ରସରକାର ଏହାକୁ ଗରୁତ୍ୱର ସହ ନେଇ ଦେଶର ସମସ୍ତ ନାଗରିକଙ୍କ ପାଖରେ କିଭଳି କରୋନାଟିକା ସୁରଖୁରୁରେ ପହଂଚାଇପାରିବେ ସେନେଇ ପ୍ରସ୍ତୁତି ଜାରି ରଖିଛନ୍ତି । ଶନିବାର ଟିକାକରଣ ପୂର୍ବରୁ ପ୍ରାକ୍ ପ୍ରସ୍ତୁତି ବା ଡ୍ରାଏ ରନ୍ କରାଯାଇଛି । ଏଥିରେ ଦେଶର ୧୨୫ ଜିଲ୍ଲାର ୨୮୫ ସେଣ୍ଟରକୁ ସାମିଲ କରାଯାଇଥିଲା । ଏହି ଡ୍ରାଏରନ୍ ର ସମୀକ୍ଷା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି କି ଖୁବ୍ ଶୀଘ୍ର ଦେଶରେ ଟିକାକରଣ ଆରମ୍ଭ କରାଯିବ । ଏହାସହ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ । ଏହି ୩ କୋଟି ଲୋକଙ୍କ ମଧ୍ୟରେ ୨ କୋଟି କରୋନାଯୋଦ୍ଧାଙ୍କୁ ଅଗ୍ରାଧିକାର ଦିଆଯିବ । ଏହାସହ ୧ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ ଏହି ଟିକା ପ୍ରଦାନ କରାଯିବ ।
ଟିକାକରଣ ପୂର୍ବରୁ କେନ୍ଦ୍ରସରକାର ଯେଭଳି ପ୍ରସ୍ତୁତ ଚଳାଇଛନ୍ତି ତାହାକୁ ଦେଖିଲେ ଲାଗୁଛି ଯେମିତି ନିର୍ବାଚନ ପୂର୍ବରୁ ପ୍ରସ୍ତୁତ ଚାଲିଛି । ତେବେ ଟିକାକରଣ ନିର୍ବାଚନ ପ୍ରକ୍ରିୟା ଭଳି ବୁଥ୍ ସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତି ଚାଲିଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏନେଇ ଦେଶର ୭୧୯ ଜିଲ୍ଲାରେ ୫୭.୦୦୦ ସ୍ୱେଚ୍ଛାସେବୀଙ୍କୁ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ୯୬୦୦ ଭ୍ୟାକ୍ସିନେଟର୍ସଙ୍କୁ ଟ୍ରେନିଂ ଦିଆଯାଇଛି । ଡ୍ରାଏ ରନ୍ ବେଳେ କେବଳ ଭ୍ୟାକସିନ୍ ନକଲି ଥିବା ବେଳେ ଆଉ ସବୁ ଅସଲି ଥିଲା ବୋଲି କୁହାଯାଇଛି । ଏହି ଡ୍ରାଏ ରନ୍ ବେଳେ ୨୫ ଜଣ ଲୋକଙ୍କୁ ଡମି ଭ୍ୟାକସିନ ମଧ୍ୟ ଦିଆଯାଇଛି ।
କହିରଖୁ କି କରୋନା ଟିକାକୁ ଦେଶବାସୀ ଅପେକ୍ଷା କରିଥିବା ବେଳେ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଥିବା ୪ ଟି ଟିକା ମଧ୍ୟରୁ ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ କାହାକୁ ମଞ୍ଜୁରୀ ପ୍ରଦାନ କରିବ ତାହା ଆଜି ସ୍ପଷ୍ଟ ହେବାକୁ ଯାଉଛି ।