ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ମାମଲା : ସୁପ୍ରିମକୋର୍ଟ କହିଲେ ସ୍ଥାୟୀ କମିଶନ ପାଇଁ ମେଡିକାଲ ଫିଟନେସ୍ ମାପଦଣ୍ଡ ଏକ ପ୍ରହେଳିକା

135

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଭାରତୀୟ ମହିଳା ସେନା କର୍ମଚାରୀ ଏକ ବୃହତ ବିଜୟ ହାସଲ କରିଛନ୍ତି । ସେନାରେ ମହିଳା ଅଫିସରଙ୍କ ସହ ଜଡିତ ଏକ ମାମଲାରେ ବୁଧବାର ଦିନ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ମହିଳା ଅଫିସର ମାନଙ୍କ ପାଇଁ ସ୍ଥାୟୀ କମିଶନ ପ୍ରଦାନରେ ମେଡିକାଲ ଫିଟନେସ୍ ମାପଦଣ୍ଡକୁ ଏକ ତର୍କହୀନ ଯୁକ୍ତି ବୋଲି କହିଛନ୍ତି କୋର୍ଟ । ଏହାସହ ସେନାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି ଯେଉଁ ସେନା ମହିଳା ଅଫିସରଙ୍କୁ ମେଡିକାଲ ଗ୍ରାଉଣ୍ଡ ମାଧ୍ୟମରେ ସ୍ଥାୟୀ କମିଶନରୁ ବଞ୍ଚିତ କରାଯାଇଛିି ସେମାନଙ୍କ ଉପରେ ଗୋଟିଏ ମାସ ଭିତରେ ପୁଣିଥରେ ବିଚାର କରାଯାଉ ।

ଏନେଇ କୋର୍ଟ ଫେବୃଆରୀ ୨୦୨୦ ରେ ଏକ ନିର୍ଦ୍ଦେଶ ଜାରି କରିଥିଲେ ବି ସେନା ତରଫରୁ ମହିଳା ଅଫିସରଙ୍କୁ ଫିଟନେସ୍ ଆଧାରରେ ସ୍ଥାୟୀ କମିଶନ ନଦିଆଯିବାକୁ ସେନାର ଭୁଲ ବୋଲି କହିଛନ୍ତି କୋର୍ଟ । ସୁପ୍ରିମକୋର୍ଟ କହିଥିଲେ କି ଦିଲ୍ଲୀ ହାଇକୋର୍ଟ ୨୦୧୦ ମସିହାରେ ଏନେଇ ରାୟ ଦେଇଥିଲେ । ଏହି ରାୟକୁ ୧୦ ବର୍ଷ ପୁରି ଯାଇଥିଲେ ବି ସେନା ଫିଟନେସ୍ ଓ ଶରୀରର ଆକାର ଆଧାରରେ ସ୍ଥାୟୀ କମିଶନ ଲାଗୁ ନକରିବା ସେନାର ଭୁଲ ନିଷ୍ପତ୍ତି ।

ଏନେଇ ସୁପ୍ରିମକୋର୍ଟ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି କି ଏହି ମାମଲାର ପୁର୍ନବିଚାର ୧ ମାସ ମଧ୍ୟରେ କରି ୨ ମାସ ମଧ୍ୟରେ ମହିଳା ଅଫିସର ମାନଙ୍କୁ ସ୍ଥାୟୀ କମିଶନ ଦିଆଯାଉ ।

କହିରଖୁ କି ୨୦୧୦ ମସିହାରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ରାୟ ଦେବା ପରେ ସେନା ତରଫରୁ ୨୮୪ ଅଫିସରଙ୍କ ମଧ୍ୟରୁ ୧୬୧ ଜଣଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିଥିଲା । ଅନ୍ୟ ମହିଳା ଅଫିସର ମାନଙ୍କୁ ମେଡିକାଲ ଗ୍ରାଉଣ୍ଡରେ ବରଖାସ୍ତ କରିଥିଲା । ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି କି ସେନାର ମେଡିକାଲ ପଦ୍ଧତି ଠିକ୍ ନଥିଲା ଓ ଏନେଇ ମହିଳାଙ୍କ କ୍ଷେତ୍ରରେ ଭେଦଭାବ କରାଯାଇଛି ।