ଦେଶକୁ କରୋନା ମୁକ୍ତ କରିବାକୁ ବଡ ଅଭିଯାନ । ଜାନୁଆରୀ ୨ ରୁ ସମସ୍ତ ରାଜ୍ୟରେ ଟିକାକରଣ ପାଇଁ ଆରମ୍ଭ ହେବ ଅଭ୍ୟାସ ।

130

କନକ ବ୍ୟୁରୋ : ଜାନୁଆରୀ ୨ ତାରିଖରୁ ଭାରତରେ କରୋନା ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ ପଞ୍ଜାବ, ଆସାମ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ଭଳି ୪ ଟି ରାଜ୍ୟରେ ୪୮ ଘଂଟିଆ ଟିକାକରଣ ଅଭ୍ୟାସ ବା ମକ୍ ଡ୍ରିଲ କରାଯାଇଥିଲା । ହେଲେ ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାନୁଆରୀ ୨ ରୁ ଅନ୍ୟ ସମସ୍ତ ରାଜ୍ୟରେ ଏଭଳି ମକ୍ ଡ୍ରିଲ କରାଯିବ ବୋଲି ସୂଚନା ଦିଆଯାଇଛି । ଏନେଇ ପ୍ରତି ରାଜ୍ୟର ୨ ଟି ଜନଗହଳିପୂର୍ଣ୍ଣ ସହରକୁ ଚିହ୍ନଟ କରାଯିବ । ପ୍ରକୃତ ଟିକାଦାନ ପୂର୍ବରୁ ଚିହ୍ନଟ ହୋଇଥିବା ସହର ମାନଙ୍କରେ ଏଭଳି ଅଭ୍ୟାସ କରାଯିବ । ଏହି ଅଭ୍ୟାସ ବେଳେ ଲୋକଙ୍କ ଟିକା ଦେବା ବ୍ୟତିତ ଟିକାଦାନ ପୂର୍ବ ପରର ସମସ୍ତ ପ୍ରକ୍ରିୟାକୁ ଯାଂଚ କରାଯିବ । ଏହି ମକ୍ ଡ୍ରିଲ୍ ଜିଲ୍ଲା ହସ୍ପିଟାଲ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଘରୋଇ ହସ୍ପିଟାଲରେ ହେବ ବୋଲି କୁହାଯାଇଛି ।

କହିରଖୁ କି ସରକାର ଏପର୍ଯ୍ୟନ୍ତ କୌଣସି କମ୍ପାନୀର ଟିକାକୁ ଅନୁମୋଦନ କରିନାହାନ୍ତି । ହେଲେ ଅନେକ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେମାନଙ୍କ ଟିକାର ପ୍ରଭାବକୁ ନେଇ ବେସ ପଜିଟିଭ୍ ଥିବା ପ୍ରକାଶ କରିଛନ୍ତି । ଏହା ମଧ୍ୟରେ ଅନେକ ଟିକା କମ୍ପାନୀ ସେମାନଙ୍କର ଶେଷ ପର୍ଯ୍ୟାୟ ପରୀକ୍ଷଣ ସାରିଛନ୍ତି । ଟିକା ପ୍ରସ୍ତୁତ କମ୍ପାନୀ ମାନେ ସରକାରଙ୍କ ନିକଟରେ ମଧ୍ୟ ଆବେଦନ କରିସାରିଛନ୍ତି । କେନ୍ଦ୍ର ସରକାର ତାଙ୍କର ନିଷ୍ପତ୍ତି ଶୁଣାଇ ନାହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ଅନୁମାନ କରାଯାଉଛି କି ଖୁବଶୀଘ୍ର ଦେଶରେ ଟିକାକରଣ ଆରମ୍ଭ କରାଯିବ । ତେଣୁ ଟିକା କରଣ କିଭଳି ସୁରୁଖୁରରେ ହୋଇପାରିବ ସେ ନେଇ ଟିକା କରଣ ପୂର୍ବରୁ ଏକ ଅଭ୍ୟାସ କାର୍ଯ୍ୟକ୍ରମ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।