ଭାରତୀୟ ଅର୍ଥନୀତି ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ସକରାତ୍ମକ ଆକଳନ : ଆଇଏମଏଫ କହିଲା, ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ରହିବ ସର୍ବାଧିକ ୧୨.୫ପ୍ରତିଶତ

ଏକମାତ୍ର ଦେଶ ଭାବେ ଦୁଇ ଅଙ୍କ ଅଭିବୃଦ୍ଧି ଦେଖିବ ଭାରତ

115

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ କେମିତି ରହିବ ଅର୍ଥନୀତିର ପ୍ରଦର୍ଶନ, ତାକୁ ନେଇ ଆଶା, ଆଶଙ୍କା ଲାଗିରହିଛି । କରୋନା ସଂକ୍ରମଣ ରୋକିବାକୁ ଗତବର୍ଷ ଲାଗିଥିବା ଲକଡାଉନ, ସଟଡାଉନ କାରଣରୁ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗିରହିଛି । ଏହାରି ଭିତରେ ଭାରତୀୟ ଅର୍ଥନୀତିକୁ ନେଇ ଆଶ୍ୱସ୍ତିକର ଆକଳନ କରିଛି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି- ଆଇଏମଏଫ । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୧୨.୫ ପ୍ରତିଶତ ରହିବ ବୋଲି ଆକଳନ କରିଛି ଆଇଏମଏଫ ।

ଗତ ଜାନୁଆରୀରେ କରିଥିବା ଆକଳନ ତୁଳନାରେ ଏହା ୧ ପ୍ରତିଶତ ଅଧିକ । ଆନୁଆଲ ରିପୋର୍ଟ ଅର୍ଥାତ ବାର୍ଷିକ ଅର୍ଥନୈତିକ ଦୃଷ୍ଟିକୋଣ ରିପୋର୍ଟ ଅନୁସାରେ ବିଶ୍ୱର ସମସ୍ତ ବିକାଶଶୀଳ ଓ ବିକଶିତ ରାଷ୍ଟ୍ରଗୁଡିକ ତୁଳନାରେ ଭାରତୀୟ ଅର୍ଥନୀତି ଅଧିକ ଦ୍ରୁତ ଗତିରେ ଆଗକୁ ବଢିବ । ସେହିପରି ବିଶ୍ୱର ଏକମାତ୍ର ରାଷ୍ଟ୍ର ଭାବେ ଭାରତ ଦୁଇ ଅଙ୍କ ଅଭିବୃଦ୍ଧି ଦେଖିବ ବୋଲି କହିଛି ଆଇଏମଏଫ ।