କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ତାଲିବାନ ପାଇଁ ଚାରିଆଡୁ ସଂକଟ ଘନେଇବାରେ ଲାଗିଛି । ଏହାରି ମଧ୍ୟରେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ନେଇ ଘୋଷଣା କରିଛି । ଆଇଏମଏଫର ପ୍ରବକ୍ତା ଗେରି ରାଇସ ଏ ବାବଦରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱଟରେ ଲେଖିଛନ୍ତି ଯେ, “ଯାହା ସବୁବେଳେ ହୋଇଥାଏ, ତାହା ଏବେ ହୋଇଛି , ଆଇଏମଏଫ ସବୁବେଳେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ବିଚାର ମୁତାବକ ପରିଚାଳିତ ହୋଇଥାଏ ।” ସେ ଆହୁରି କହିଛନ୍ତି କି ଏହି ସମୟରେ ଆଫଗାନିସ୍ତାନର ସରକାର ବାବଦରେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ସ୍ପଷ୍ଟତା କମ ରହିଛି । ଏହାର ପରିଣାମ ସ୍ୱରୂପ ଏହି ଦେଶକୁ ଏସଡିଆର କିମ୍ବା ଆଇଏମଏଫ ତରଫରୁ ପୂର୍ବରୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ ହେବାକୁ ଯାଉଛି ।
ଏହା ପୂର୍ବରୁ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ କହିଥିଲେ କି ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଥିଲେ ବି ତାଲିବାନୀଙ୍କ ପାଖରେ ଆଫଗାନର ସମସ୍ତ ନଗଦ ଟଙ୍କା ଓ ସୁନା ଷ୍ଟକ ପହଂଚି ପାରି ନାହିଁ । ଅନ୍ୟପଟେ ଦ ଆଫଗାନିସ୍ତାନ ବ୍ୟାଙ୍କ (ଡିଏବି) ର ଗଭର୍ଣ୍ଣର ଅଜମଲ ଅହମଦୀ ଟ୍ୱିଟର ମାଧ୍ୟମରେ କହିଛନ୍ତି କି ବ୍ୟାଙ୍କ ପାଖରେ ୯ ଅରବ ଡଲାରର ଭଣ୍ଡାର ଥିଲା । ହେଲେ ଏହାର ଅଧିକାଂଶ ଭାଗ ବିଦେଶୀ ବ୍ୟାଙ୍କ ହାତରେ ରହିଛି । ଯାହା ପାଖରେ ତାଲିବାନ ପହଂଚିପାରିବ ନାହିଁ ।
As is always the case, the IMF is guided by the views of the int'l community. There is currently a lack of clarity within the int'l community regarding recognition of a government in Afghanistan, as a consequence of which the country cannot access SDRs or other IMF resources.
— Gerry Rice (@IMFSpokesperson) August 18, 2021
କହିରଖୁ କି ତାଲିବାନୀମାନେ ଆଫଗାନିସ୍ତାନକୁ ଦଖଲ କରିବା ପରେ ଆଫଗାନର ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇଛନ୍ତି । ତାଙ୍କୁ ୟୁଏଇ ଶରଣ ଦେଇଛି ।