ରାଜ୍ୟରେ ୨୪ ଯାଏ ବର୍ଷା, କମିବ ଶୀତ : ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

1,062

ଆଜିଠାରୁ ରାଜ୍ୟର ପାଗରେ ବିଶେଷ ପରିବର୍ତ୍ତନ ଦେଖାଯିବ । ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଶୀତ କମିଯିବ । ଆଜି ଉପକୂଳ ଓଡ଼ିଶାର ଜିଲ୍ଲା ଯଥା କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

୨୨ ତାରିଖ ଦିନ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ଦେବଗଡ଼ ଆଦି ମୁଖ୍ୟତଃ ଉତ୍ତର ଆଭ୍ୟନ୍ତର ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୨୩ ତାରିଖ ଆଡ଼କୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟମଧରଣର ବର୍ଷା ହୋଇପାରେ । ଏଣୁ ଏହି ୬ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ୨୪ ତାରିଖ ଦିନ ମଧ୍ୟ ରାଜ୍ୟର କିଛି କିଛି ଜିଲ୍ଲା ବିଶେଷକରି ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ଓ ଖରାଟିଆ ରହିଥିଲା। କିଛି କିଛି ସ୍ଥାନରେ କୁହୁଡ଼ି ବି ପଡ଼ିଛି। କନ୍ଧମାଳ, କଟକ, ଅନୁଗୁଳ, ଗଜପତି, କଳାହାଣ୍ଡି ଓ ମାଲକାନଗିରି ଆଦି ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ପଡ଼ିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ରେକର୍ଡ ହୋଇଛି । ସର୍ବନିମ୍ନ ତାପମାତ୍ରା ଗତ ୨୪ ଘଣ୍ଟାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ଟି ସ୍ଥାନରେ ୧୦ ଡିଗ୍ରି ତଳକୁ ରହିଛି ।

ଫୁଲବାଣୀଠାରେ ରାତ୍ରି ତାପମାତ୍ରା ୯.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କିରେଇଠାରେ ୮.୦ ଡିଗ୍ରି, କେନ୍ଦୁଝର ୯.୮ ଡିଗ୍ରି, ଝାରସୁଗୁଡ଼ା ୯.୬ ଡିଗ୍ରି, ଦାରିଙ୍ଗବାଡ଼ିରେ ୯.୫ ଓ ଶିମିଳିଗୁଡ଼ାରେ ୯.୧ ଡିଗ୍ରି ରେକର୍ଡ ହୋଇଛି । ଭୁବନେଶ୍ବରରେ ୧୩.୮ ଡିଗ୍ରି ରେକର୍ଡ ହୋଇଛି, ଯାହାକି ସର୍ବନିମ୍ନ ସ୍ବାଭାବିକ ତାପମାତ୍ରାଠାରୁ ୨ ଡିଗ୍ରି କମ୍ । ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।