‘ବାତ୍ୟା’କୁ ନେଇ ଆଇଏମଡି ଏଡିଜିଙ୍କ ବଡ ପ୍ରତିକ୍ରିୟା । କହିଲେ, ଫାଇଲିନଠାରୁ କମ୍ କିନ୍ତୁ ତିତିଲିଠାରୁ ଅଧିକ ପ୍ରଭାବ ପକାଇବ ଫୋନି

583

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସାମୁଦ୍ରିକ ବାତ୍ୟା ଫୋନି ଆଜି ସକାଳେ ପୁରୀ ପାଖରୁ ଦକ୍ଷିଣ – ଦକ୍ଷିଣ ପଶ୍ଚିମ ଦିଗରେ ୪୫୦ କିଲୋମିଟର ଦୂରରେ କେନ୍ଦ୍ରିଭୁତ ଅଛି ଏବଂ ବିଶାଖାପାଟଣାଠାରୁ ପ୍ରାୟ ୨୩୦ କିଲୋମିଟରର ଦୂରରେ ପୂର୍ବକୁ କେନ୍ଦ୍ରିଭୁତ ହେଉଛି । ତେବେ ଗତ ୬ ଘଂଟା ମଧ୍ୟରେ ୧୦ କିଲୋମିଟର ବେଗରେ ଗତି କରୁଛି ଏହି ସାମୁଦ୍ରିକ ବାତ୍ୟା । ତେବେ ଆଶା କରାଯାଉଛି କି , ଆସନ୍ତା କାଲି ଅପରାହ୍ମ ସୁଦ୍ଧା ଏହା ଓଡିଶା ଉପକୂଳକୁ ଗୋପାଳପୁର- ଚାନ୍ଦବାଲି ମଧ୍ୟରେ ପୁରୀ ଦେଇ ଅତିକ୍ରମ କରିବ । ସେତେବେଳେ ଏହାର ପବନର ବେଗ ୧୭୦ରୁ ୧୮୦ କିଲୋମିଟର ପ୍ରତିଘଂଟା ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଏଡିଜି ମୃତ୍ୟୁଂଜୟ ମହାପାତ୍ର ।

ମୃତ୍ୟୁଂଜୟଙ୍କ କହିବା ଅନୁସାରେ, ଫୋନିର ବିଶେଷ ପ୍ରଭାବ ଉପକୂଳ ଓଡିଶା ଉପରେ ପଡିବ । ଆଜିଠାରୁ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତି ରହିବା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବ । ଏବଂ ଧିରେ ଧିରେ ଏହାର ବେଗ ବୃଦ୍ଧି ପାଇବ । ଏଥି ସହିତ ବର୍ଷା ମଧ୍ୟ ଆରମ୍ଭ ହେବ । ତେବେ ଗୋଟିଏ ଦୁଇଟି ସ୍ଥାନରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗଂଜାମ, ଗଜପତି, ପୁରୀ, ଖୋର୍ଧା, ନୟାଗଡ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହୋଇପାରେ ଏବଂ କାଲି ଏହାଠାରୁ ଅଧିକ ବର୍ଷା ହେବା ନେଇ ସମ୍ଭାବନା ରହିଛି ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

ଯଦି ଫୋନିର ବେଗ ଅଧିକ ରୁହେ ତେବେ ଆସନ୍ତା କାଲି ୨ଟାରୁ ୫ ସୁଦ୍ଧା ଏହି ସାମୁଦ୍ରିକ ବାତ୍ୟା ଓଡିଶା ଉପକୂଳ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଏଡିଜି । ତେବେ ବାତ୍ୟା ଫୋନୀକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି  ମହାବାତ୍ୟାଠାରୁ ବିଶେଷ କମ ରହିବ ସାମୁଦ୍ରିକ ବାତ୍ୟା ଫୋନିର ପ୍ରଭାବ ଏବଂ ଫାଇନିଲଠାରୁ କମ୍ ପ୍ରଭାବିତ କରିବ କିନ୍ତୁ ତିତିଲିଠାରୁ ଅଧିକ ପ୍ରଭାବ ପକାଇବ ।