ଷଷ୍ଠୀରୁ ଅଷ୍ଟମୀ ପ୍ରବଳ ବର୍ଷିବ ! ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

721

କନକ ବ୍ୟୁରୋ : ମହାଷଷ୍ଠୀରେ ଭିଜିବ ଉତ୍ତର ଉପକୂଳ । ସପ୍ତମୀରେ ସମ୍ପର୍ଣ୍ଣ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଅଷ୍ଟମୀରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି । ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ।

ଆସନ୍ତା ୧ ତାରିଖରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେ‌ଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ୨ ତାରିଖ ଦିନ ସପ୍ତମୀ ଅବସରରେ ସାରା ଉପକୂଳ ବର୍ଷାରେ ଭିଜିବ । ଅଷ୍ଟମୀରୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ସୂଚନା ମୁତାବକ, ୨ ତାରିଖ ଦିନ ସମସ୍ତ ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜା‌ରି କରାଯାଇଛି । ଏଥିସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସମେତ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୩ ତାରିଖ ବା ମହାଷ୍ଟମୀ ଅବସରରେ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିବ । କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ । ଏଥିସହ ଅବଶିଷ୍ଟ ଓଡ଼ିଶାରେ ପ୍ରବଳ ବର୍ଷିପାରେ ବୋଲି ପାଣିପା‌ଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।