କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି । ଏଥିସହ ଓଡ଼ିଶା ଆଖପାଖ ରାଜ୍ୟଗୁଡ଼ିକରେ ଘୂର୍ଣ୍ଣିବଳୟ ଓ ଟ୍ରପ୍‌ଲାଇନ୍‌ ସୃଷ୍ଟି ହୋଇଥିବାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ମଧ୍ୟରେ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଉକ୍ତ ଜିଲ୍ଲାଗୁଡ଼ିକ ସହ ନବରଙ୍ଗପୁର, କନ୍ଧମାଳ, ମୟୂରଭଞ୍ଜ, କଟକ ଓ ବାଲେଶ୍ବରର କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ୨୫ରୁ ୨୭ ତାରିଖର ରାଜ୍ୟର ସମସ୍ତ ଜିଲ୍ଲାରେ କମ୍‌ ବହୁତେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ପରବର୍ତୀ ଦୁଇ ଦିନ ରାଜ୍ୟରେ ବର୍ଷା ପରିମାଣ କମିବ। ଉପକୂଳ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି ।

Advertisment

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । କେନ୍ଦ୍ରାପଡ଼ା ସମେତ ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇଠାରେ ରାଜ୍ୟର ସର୍ବାଧିକ ବର୍ଷ‌ା ୨୩ ସେମି ରେକର୍ଡ ହୋଇଛି । ଏହାବ୍ୟତୀତ କଟକର କଣ୍ଟାପଡ଼ାରେ ୧୯ ସେମି, ପୁରୀର ନିମାପଡ଼ାରେ ୧୬ ସେମି, ବାଲେଶ୍ବରର ଭୋଗରାଇରେ ୧୩, ଜଗତ୍‌ସିଂହପୁରର କୁଜଙ୍ଗରେ ୧୩, ବାଲେଶ୍ବରର ଜଳେଶ୍ବରରେ ୧୨, ଖୋର୍ଧାର ବାଲିପାଟଣାରେ ୧୨, ପୁରୀର ପିପିଲିରେ ୧୧, ଭୁବନେଶ୍ବରରେ ୧୧, କଟକ ମୁଣ୍ଡୁଳିରେ ୧୧ ଓ ‌ସାଲେପୁରରେ ୧୦ ସେମି ବର୍ଷା ହୋଇଥିବା ଜଣାପଡ଼ିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଚାଷୀମାନଙ୍କୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି ।