ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’, ପ୍ରବଳ ବର୍ଷା ଆଶଙ୍କା : ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ନେବ ଅବପାତର ରୁପ

ମଧ୍ୟାହ୍ନରେ ପୁରୀ ନିକଟ ଦେଇ ହେବ ପଶ୍ଚିମବଙ୍ଗ ମୁହାଁ

274

କନକ ବ୍ୟୁରୋ : ସମୁଦ୍ର ଭିତରେ ଦୁର୍ବଳ ହେଲା ବାତ୍ୟା ‘ଜୱାଦ’ । ଫଳରେ ଏକ ବଡ ଧରଣର ବିପଦ ଓଡ଼ିଶା ଉପକୂଳରୁ ଟଳି ଯାଇଛି । ଗଭୀର ଅବପାତରେ ପରିଣତ ହୋଇଥିବା ଜୱାଦ ଆଜି ଅବପାତର ରୂପ ନେବ । ମଧ୍ୟାହ୍ନରେ ପୁରୀ ନିକଟବର୍ତୀ ହେବ କିନ୍ତୁ ସ୍ଥଳଭାଗ ଛୁଇଁବା ସମ୍ଭାବନା ବହୁତ କମ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗଭୀର ଅବପାତ ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସହ ପବନ ଲାଗି ରହିଛି । ପୁରୀ ପହଂଚିବା ବେଳକୁ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ । ଆଜି ଉପକୂଳ ଓଡ଼ିଶା ଓ ଉତର ଓଡ଼ିଶାରେ ବର୍ଷା ହେବ । ଏହା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଆଜି ୫ ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି । ଟ୍ୱିନ୍ ସିଟି ପାଇଁ ମଧ୍ୟ ଅରେଂଜ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଟକ ଭୁବନେଶ୍ୱର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।

ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ଜୱାଦ’ ଏବେ ଉତ୍ତରପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୩ କିମି ଦିଗରେ ଗତି କରୁଛି। ଏହା ଧୀରେଧୀରେ ଉତ୍ତର ଆଡ଼କୁ ଗତି କରିବ ଓ ମଧ୍ୟରାତ୍ରି ସୁଦ୍ଧା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେବ । ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ତଥା ପୁରୀ ପାଖାପାଖି ରବିବାର ମଧ୍ୟାହ୍ନ ସୁଦ୍ଧା ପହଞ୍ଚିଯିବ । ଏହା ଧୀରେ ଧୀରେ ଆହୁରି ଦୁର୍ବଳ ହେବ ଓ ଉତ୍ତର-ଉତ୍ତର ପୂର୍ବ ଦିଗରେ ଓଡ଼ିଶା ଉପକୂଳରୁ ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ । ଏହା ପ୍ରଭାବରେ ଆଜି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେହିଭଳି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଓ ପୁରୀର କିଛି କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବ। ତେ‌ବେ ପବନର ପ୍ରଭାବ ବିଶେଷ ରହିବ ନାହିଁ ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ‘ଜୱାଦ’ ଓଡ଼ିଶା ଉପକୂଳର ପ୍ରାୟ ୫୦ କିମି ଦୂରରେ ଉପକୂଳର ସମାନ୍ତରାଳରେ ଦୁର୍ବଳ ହୋଇ ଗତି କରିବ । ପୁରୀଠାରୁ ପ୍ରାୟ ୭୦ କିମି ଦୂରରେ ସମୁଦ୍ରରେ ସଂଧ୍ୟା ୫ଟା ବେଳେ ଅବପାତ ରୂପରେ ପହଞ୍ଚିବ ଓ କେନ୍ଦ୍ରାପଡ଼ାର ଦୂରରେ ଥିବା ବେଳେ ଦୁର୍ବଳ ହୋଇଯିବ। ପଶ୍ଚିମବଙ୍ଗ/ବାଂଲାଦେଶରେ ପହଞ୍ଚିଲା ବେଳକୁ ଏହା ଲଘୁଚାପରେ ପରିଣତ ହେବା ସହ ସମୁଦ୍ରରେ ଲୀନ ହୋଇସାରିଥିବ। ଭୁବନେଶ୍ବର, ପୁରୀ, ପାରାଦୀପ, କେନ୍ଦ୍ରାପଡ଼ା, ବାସୁଦେବପୁରରେ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୫ ତାରିଖରେ ବର୍ଷା ସବୁଠାରୁ ଅଧିକ ରହିବ ।

ଦକ୍ଷିଣ ଓଡ଼ିଶାରେ ୫ତାରିଖ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ ଓ ଭୁବନେଶ୍ବର ସମେତ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୬ତାରିଖ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ। ଉପକୂଳ ଓଡ଼ିଶାରେ ୧୧ ଓ ୧୨ ତାରିଖରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ଡିଗ୍ରି ଏବଂ ୧୦ରୁ ୧୧ ତାରିଖ ମଧ୍ୟରେ ଅନ୍ୟାନ୍ୟ ସ୍ଥାନରେ ୫ରୁ ୬ଡିଗ୍ରି କମିବାର ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । ଡିସେମ୍ବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସଂକେତ ମିଳୁଛି ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।