ପୁଣି ରାଜ୍ୟରେ ମୌସୁମୀ ସକ୍ରିୟ : ଆଜି ୧୧ ଜିଲ୍ଲାରେ ପ୍ରବଳ ବର୍ଷାର ଚେତାବନୀ

834

କନକ ବ୍ୟୁରୋ : ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକାରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ଦେବଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ଏହି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ସୋନପୁର ଓ ବୌଦ୍ଧ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଆସନ୍ତାକାଲି ନୂଆପଡା, ନବରଙ୍ଗପୁର, କଳାହାଣ୍ଡି ଓ ବଲାଙ୍ଗୀରରେ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ସେପଟେ ୨୫ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ଆସୁଛି । ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ବେଳକୁ ଓଡିଶା ଉପକୂଳରେ ପହଂଚିବ । ଏହାର ପ୍ରଭାବରେ ୨୬ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଧିକ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୫ ତାରିଖ ଆଡ଼କୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋ‌ପସାଗର ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି ।

ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖ ଆଡ଼କୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲା ହୀରାକୁଦରେ ସବୁଠୁ ଅଧିକ ୧୦୫.୫ ମିମି, ଢେଙ୍କାନାଳ ଜିଲ୍ଲାର ଅଲତୁମାରେ ୮୨.୪ମିମି, କାମାକ୍ଷାନଗରରେ ୭୬.୧ମିମି ଏବଂ ତାଳଚେରରେ ୭୫ ମିମି ବର୍ଷା ରେକର୍ଡ କରାଯାଇଛି ।