ଓଡ଼ିଶା ଉପକୂଳ ମୁହାଁ ଅବପାତ : ୭ ଜିଲ୍ଳାକୁ ରେଡ଼ ୱାର୍ଣ୍ଣିଂ ଜାରି

461

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ରାସ୍ତାଗୁଡ଼ିକ ପାଣି‌େର ବୁଡ଼ି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି । ସୋମବର ସକାଳ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହିତ ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା ରହିଛି । ଏନେଇ ଏସ୍‌ଆରସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି କୁହାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବା ସହ ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

ଓଡ଼ିଶା ଉପକୂଳରେ ଅବପାତ । ଘଂଟା ପ୍ରତି ୫ କିମି ବେଗରେ ଗତି କରୁଛ । ପାରାଦିପ ଉପକଳରୁ ୪୦ କିମି ଦୂରରେ ରହିଛି । ପ୍ରବଳ ବର୍ଷାରେ ଭିଜିଲା ସାରା ରାଜ୍ୟ । ଲଘୁଚାପ ପ୍ରଭାବରେ ୨୪ ଘଂଟାରେ ପୁରୀରେ ସର୍ବାଧିକ ୩୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ଦିନ ତମାମ ବର୍ଷା ଜାରି ରହିବ । ପୁରୀ, ଖୋର୍ଦ୍ଧା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ନୟାଗଡ଼କୁ ରେଡ଼ ୱାର୍ଣ୍ଣି ଜାରି  କରାଯାଇଛି । ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି ଯେ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ । ଆଜି ୮ଟା ୩୦ ସୁଦ୍ଧା ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ଅର୍ଥାତ୍‌ ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ ।

ଏହି ସମୟ ମଧ୍ୟରେ ଅନ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଯେଉଁଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ତେଣୁ ସ୍ଥିତି ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବଡ଼ ବର୍ଷା ଯୋଗୁଁ ସହରତଳୀ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ । ପାହାଡ଼ିଆ ଅଞ୍ଚଳରେ ମାଟି ଧସିବା, ରାସ୍ତା ଧୋଇଯିବା, ମାଟି ଘର ଭାଙ୍ଗିବା ପରି ସମସ୍ୟା ଉପୁଜିପାରେ ।